ଦୁବାଇରେ ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ ମ୍ୟାଚ୍ ବଢ଼ାଇଲା କ୍ରିକେଟ୍ ପ୍ରେମୀଙ୍କ ହୃଦସ୍ପନ୍ଦନ: ସୁପରଓଭରରେ ପଂଜାବ ଠାରୁ ମ୍ୟାଚ୍ ଛଡ଼ାଇ ନେଲା ଦିଲ୍ଲୀ

ଉଭୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲେ ୧୫୭ ରନ୍

589

କନକ ବ୍ୟୁରୋ: ଦୁବାଇରେ ଚାଲିଥିବା ଆଇପିଏଲର ଦ୍ୱିତୀୟ ମ୍ୟାଚକୁ ସୁପର ଓଭରରେ ଜିତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବେଶ ରୋମାଂଚକର ରହିଥିଲା । ଉଭୟ କିଙ୍ଗ୍ସ ଇଲେଭେନ୍ ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ କରିଥିଲେ । ସୁପର ଓଭରରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଦିଲ୍ଲୀ ବୋଲର ରବାଡା, ସୁପର ଓଭରରେ ପଂଜାବ ଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ ।

୨୦ ଓଭରର ଖେଳରେ ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ୧୫୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା କିଙ୍ଗ୍ସ ଇଲେଭେନ୍ ପଂଜାବ । ପ୍ରଥମରୁ ହିଁ ପଂଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେଏଲ୍ ରାହୁଲ ୨୧ ରନ୍ କରି ଆଉଟ୍ ହୋଇଯିବା ପରେ ଦିଲ୍ଲୀର ସ୍ପିନର ଆର୍ ଅଶ୍ୱିନୀ ପ୍ରଥମ ଓଭରରେ ୨ ୱିକେଟ୍ ନେଇ ପଂଜାବର ସମସ୍ୟାକୁ ବଢ଼ାଇ ଦେଇଥିଲେ । ତେବେ ଓପନର୍ ମୟଙ୍କ ଅଗ୍ରୱାଲ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ଖେଳ ପଦର୍ଶନ କରିଥିଲେ । ଶେଷ ୫ ଓଭରରେ ମ୍ୟାଚ୍ର ଗତିକୁ ବଦଳାଇ ଦେଇଥିଲେ ସତ ହେଲେ ଦଳକୁ ବିଜୟ ଦେଇ ପାରିନଥିଲେ । ୬୦ ବଲ୍ରେ ୮୯ ରନ୍ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ ମୟଙ୍କ ଅଗ୍ରୱାଲ । ରବାଡା ଓ ଅଶ୍ୱିନୀଙ୍କୁ ୨ଟି ଲେଖାଁଏ ୱିକେଟ୍ ମିଳିଥିଲା ।

ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ କିଙ୍ଗସ ଇଲେଭେନ୍ ପଂଜାବର ଅଧିନାୟକ କେଏଲ ରାହୁଲ । ପଂଜାବର ଶାଣୀତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ । ଦିଲ୍ଲୀର ଉଭୟ ଓପନର୍ ପୃଥ୍ୱୀ ଶ’ ଓ ଶିଖର ଧାୱନ ସହଜରେ ଆଉଟ ହୋଇଯିବା ପରେ ଧିମେଇ ଯାଇଥିଲା ଦିଲ୍ଲୀର ସ୍କୋର ବୋର୍ଡ । ମହମ୍ମଦ ସାମିଙ୍କ ଶାଣୀତ ବୋଲିଂ ଦିଲ୍ଲୀର ଅଡୁଆକୁ ଆହୁରି ବଢ଼ାଇ ଦେଇଥିଲା । କ୍ୟାପଟେନ୍ ଶ୍ରେୟସ ଆୟର ଓ ରିଶଭ ପନ୍ଥଙ୍କ ଯୋଡି କିଛି ସମୟ କ୍ରିଜରେ ତିଷ୍ଠି ରହିଥିଲେ । ୩୯ ରନ୍ରେ ଶ୍ରେୟସ ଆୟର ଓ ୩୧ ରନ୍ରେ ରିଶଭ ପନ୍ଥଙ୍କ ୱିକେଟ ପଡ଼ିଥିଲା । ଗୋଟିଏ ପଟେ ଷ୍ଟୋନିସ୍ ସ୍କୋର ବୋର୍ଡକୁ ଆଗକୁ ନେଉଥିବା ବେଳେ ଅନ୍ୟପଟେ ୱିକେଟ ପଡି ଚାଲିଥିଲା । ଧୁଆଁଧାର ବ୍ୟାଟି କରି ଷ୍ଟୋନିସ୍ ମାତ୍ର ୨୧ ବଲରେ ୫୩ ରନ୍ କରିଥିଲେ । ଯାହା ଦିଲ୍ଲୀକୁ ଏକ ସମ୍ମାନଜନକ ସ୍ଥିତିରେ ପହଁଚାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ଦିଲ୍ଲୀ ୧୫୭ ରନ୍ କରିବାକୁ ସମର୍ଥ ହୋଇଥିଲା । ପଂଜାବ ପକ୍ଷରୁ ମହମ୍ମଦ ସାମି ୪ ଓଭର କରି ମାତ୍ର ୧୫ ରନ୍ ଦେବା ସହ ୩ଟି ୱିକେଟ୍ ହାସଲ କରିଥିଲା ।