କନକ ବ୍ୟୁରୋ : ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋର ରୋମାଞ୍ଚକର ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଖେଳାଳୀଙ୍କୁ ବିସିସିଆଇ ଏକ ଅନୁରୋଧ କରିଥିଲା । ମ୍ୟାଚ୍ ପୂର୍ବରୁ ଦିଲ୍ଲୀ ଓ ଆରସିବି ଖେଳାଳୀଙ୍କୁ ହାତ ନ ମିଳାଇବାକୁ ବିସିସିଆଇ ପକ୍ଷରୁ କୁହାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଏହି ଅନୁରୋଧ ବିସିସିଆଇ ପକ୍ଷରୁ କରାଯାଇଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଟିମରେ କରୋନା ଚିହ୍ନଟ ପରେ ବୋର୍ଡ ପକ୍ଷରୁ ଏଭଳି ସର୍କୁଲାର ଜାରି କରାଯାଇଥିଲା ।
ଦିଲ୍ଲୀର ଫିଜିଓ ପେଟ୍ରିକ ଫରହାର୍ଟ କରୋନାରେ ସଂକ୍ରମିତ ହେବା ପରେ ପୂରା ଟିମକୁ ଏବେ ସଙ୍ଗରୋଧରେ ରଖାଯାଇଛି । ଏପରିକି ଜଣେ ବିଦେଶୀ ଖେଳାଳୀ ସଂକ୍ରମିତ ହୋଇଥିବାର ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଏନେଇ ଅଧିକାରୀକ ଭାବେ କୌଣସି ସୂଚନା ମିଳିନାହିଁ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପକ୍ଷ ମ୍ୟାଚରେ ଖେଳାଳୀଙ୍କୁ ହାତ ମିଳାଇବାକୁ ବାଙ୍ଗାଲୋର ଖେଳାଳୀଙ୍କୁ ମନା କରାଯାଇଥିଲା ।
କରୋନା ପାଇଁ ଗତ ଆଇପିଏଲ ସିଜିନରେ ବିସିସିଆଇ ବେଶ ସମସ୍ୟାର ସମ୍ମୁଖୀନ ହୋଇଥିଲା । ଅଧିକାଂଶ ଖେଳାଳୀ କରୋନାରେ ସଂକ୍ରମିତ ହୋଇଥିଲେ । ଯେଉଁଥିପାଇଁ ଆଇପିଏଲକୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ତେବେ ପରବର୍ତ୍ତୀ ସମୟରେ ୟୁଏଇରେ ସମ୍ପୂର୍ଣ୍ଣ ଜୈବ ବଳୟ ମଧ୍ୟରେ ଆଇପିଏଲର ବଳକା ମ୍ୟାଚ୍ ଖେଳାଯାଇଥିଲା ।