ଗରିବି ଗଳିରୁ ଗୌରବ ଆଣିଲା ଦିନ ମଜୁରିଆର ପୁଅ । ଅଭାବ ଅନଟନ ସତ୍ୱେ ସତ ହେଲା ଡାକ୍ତର ହେବାର ସ୍ୱପ୍ନ । ଚର୍ଚ୍ଚାରେ କଟକର ଦିନ ମଜୁରିଆ ପୁଅ ଦୀପକ ।

718

କନକ ବ୍ୟୁରୋ: ବାପା ମୁଁ ଡାକ୍ତର ହେବି, ତମ ଦୁଃଖ ଦୂରେଇ ଦେବି… ତମ ପରିଶ୍ରମର ମୂଲ ରଖିବି… ଗରିବି ଗଳିରେ ବଢୁଥିବା ପିଲାଟିଏ ଯେତେବେଳେ ବଡ ସ୍ୱପ୍ନଟିଏ ଦେଖେ, ଡାକ୍ତର ହେବାର ଆଶା ନେଇ ଆଗକୁ ବଢୁଥାଏ । ନିଜକୁ ଆଉ ନିଜ ପରିବାରକୁ ଏମିତି କିଛି ପ୍ରତିଶ୍ରୁତି ଦେଇ, ଏମିତି କିଛି ସଙ୍କଳ୍ପ ନେଇ ପଢାପଢି ଆରମ୍ଭ କରେ । ଜୀବନରେ ସଫଳ ହେବାକୁ ଚାଲେ ଜୋରଦାର ପରିଶ୍ରମ । ଆଉ ଦୃଢ ଇଚ୍ଛାଶକ୍ତି, ପାଠ ପ୍ରତି ନିଠାପରତା ଦିନେ ନା ଦିନେ ସଫଳତାର ଶୀଖରରେ ପହଞ୍ଚାଏ ଯାହାର ବଡ ଉଦାହରଣ ହେଉଛନ୍ତି ଦିନ ମଜୁରୀଆର ପୁଅ ଦୀପକ ।

କଟକ ବାଲିକୁଦା ଅଞ୍ଚଳର ନବୀନ ସାମଲ । ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ୫ ଜଣଙ୍କ ପେଟକୁ ଦାନା ଯୋଗାଡ କରିବା ସହ ପୁଅର ଡାକ୍ତରୀ ସ୍ୱପ୍ନକୁ ସତ କରିବାକୁ ହାଡଭଙ୍ଗା ପରିଶ୍ରମ କରିବାରେ ହେଳା କରନ୍ତିନି । ନିଜକୁ ଯେତେ କଷ୍ଟ ହେଲେ ବି ପୁଅକୁ ବଡ ମଣିଷ କରିବାକୁ ନବୀନ ନିଜ ରକ୍ତକୁ ପାଣି ପରି ନିଗାଡି ଦେଇଛନ୍ତି । ପରିବାର ଦୁଃଖ ଭିତରେ ନିଜ ସ୍ୱପ୍ନକୁ ସାକାର କରିବାର ଦମ୍ଭକୁ କେବେ ଭାଙ୍ଗି ନାହାନ୍ତି ଦୀପକ । ପିଲାବେଳୁ ଭଲ ପାଠ ପଢୁଥିବା ଦୀପକ, ମାଟ୍ରିକରେ ୯୩ ପ୍ରତିଶତ ରଖି କୃତକାର୍ଯ୍ୟ ହେବା ପରେ ଜଣେ ଘରୋଇ କଲେଜର ଶିକ୍ଷକଙ୍କ ସସ୍ପର୍ଶରେ ଆସି ରେଭେନ୍ସା ଜୁନିୟର କଲେଜରେ ଯୁକ୍ତ ୨ ବିଜ୍ଞାନ ପଢିଥିଲେ ଆଉ ସେଇଠୁ ହିଁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ।

ତେବେ ଶିକ୍ଷକମାନଙ୍କ ସହଯୋଗ, ବାପାଙ୍କ କଷ୍ଟର ମୂଲ୍ୟ ଦେଇଛନ୍ତି ଦୀପକ । ନିଟ୍ ପରୀକ୍ଷାରେ ୧୧୪୯ ନମ୍ବର ର୍ୟାଙ୍କ ରଖି ଏସସିବି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ଦୀପକ । ଆଉ ପୁଅର ଏ ସଫଳତାରେ ଖୁସିରେ ଆତ୍ମହରା ହୋଇଛନ୍ତି ବାପାମାଆ । ପୁଅର ସଫଳତାରେ ବାପାମାଆ ଖୁସି ସିନା ଅଛନ୍ତି ହେଲେ ଅର୍ଥ ପାଇଁ ଅବସାଦରେ ବି ଅଛନ୍ତି । ଆଗାମୀ ୫ ବର୍ଷ ପୁଅ ପାଠପଢା ପାଇଁ ଆବଶ୍ୟକ ଥିବା ଅର୍ଥ କେଉଁଠୁ ଆସିବ ? ଏହି ଚିନ୍ତାରେ ଦୁହେଁ ଥିବା ବେଳେ କିଛି ସରକାରୀ ସହଯୋଗର ଆଶା ରଖିଛନ୍ତି ମେଧାବୀ ପୁଅର ବାପାମାଆ…