ଦିନକର୍ଫ୍ୟୁ ହେବ ନା ହେବନି ? ଦିନକର୍ଫ୍ୟୁ ନେଇ ବଢିଲା ଦ୍ୱନ୍ଦ୍ୱ । ବାଚସ୍ପତିଙ୍କ କଥାକୁ ଦୋହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ । କାଲି ମନାକରିଥିଲେ ସରକାର । କାହା କଥାକୁ ବିଶ୍ୱାସ କରିବେ ରାଜ୍ୟବାସୀ ?

389

କନକ ବ୍ୟୁରୋ: ଦିନକର୍ଫ୍ୟୁ ହେବ ନା ହେବନି ? ଗତ ଦୁଇଦିନ ହେବ ରାଜ୍ୟବାସୀ ଦ୍ୱନ୍ଦ୍ୱରେ ରହିଛନ୍ତି । ଆଉ ଏହି ଦ୍ୱନ୍ଦ୍ୱ ବଢାଇଛି ବାଚସ୍ପତି, ସରକାର ଓ ତାଙ୍କ ମନ୍ତ୍ରୀଙ୍କ ବୟାନ । କାଲି ହଠାତ ଦିନକର୍ଫ୍ୟୁର ସଙ୍କେତ ଦେଲେ ବାଚସ୍ପତି । ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ ପରେ ଦିନ କର୍ଫ୍ୟୁ ଲାଗିପାରେ ବୋଲି କାଲି ପ୍ରତିକ୍ରିୟା ଦେଇଥିଲେ ବାଚସ୍ପତି । ଆଉ ତାପରେ ବଡ ଖବର ବନିଥିଲା ବାଚସ୍ପତିଙ୍କ କଥା । ରାଜ୍ୟବାସୀ ବି ଟିଭି, ମୋବାଇଲରେ ଖବର ଦେଖି ଛାନିଆ ହୋଇଗଲେ । ୩,୪ ଦିନ ଭିତରେ ଦିନକର୍ଫ୍ୟୁ ଲାଗିପାରେ ବୋଲି ବାଚସ୍ପତିଙ୍କ ବୟାନ ସମସ୍ତଙ୍କ ମନରେ ଛନକା ଭରିଲା । ଏମିତି କି ଲୋକେ ଖବର ଦେଖିବା ପରେ ଦୋକାନ, ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ପାଇଁ ଭିଡ ଲଗାଇଥିଲେ ।

ତେବେ ଦିନକର୍ଫ୍ୟୁ ନେଇ ସୂର୍ଯ୍ୟଙ୍କ କଥା ପରେ ସେମିତି କିଛି ଯୋଜନା ନଥିବା କହିଥିଲେ ସରକାର । ସୂର୍ଯ୍ୟ ସଙ୍କେତ ଦେଇଥିଲେ, ସରକାର ମନାକଲେ । ରାତିରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦେଇ ଏସଆରସି କହିଥିଲେ, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଦିନ କର୍ଫ୍ୟୁ ଲାଗିବ ନାହିଁ । କୋଭିଡ ସ୍ଥିତି ଉପରେ ରାଜ୍ୟ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏଥିସହ କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ କହିଥିଲେ ଏସଆରସି । ଏସଆରସିଙ୍କ କଥା ଶୁଣି ଟିକେ ଆଶ୍ୱସ୍ତି ଅନୁଭବ କରିଥିଲେ ବାଚସ୍ପତି ।

ହେଲେ ଆଜି ପୁଣି ଥରେ ଦିନକର୍ଫ୍ୟୁ ନେଇ ଦ୍ୱନ୍ଦ୍ୱରେ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବାଚସ୍ପତିଙ୍କ କଥାକୁ ଦୋହରାଇ ଦିନକର୍ଫ୍ୟୁର ଦ୍ୱନ୍ଦ୍ୱ ବଢାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଦରକାର ପଡିଲେ ଦିନରେ କର୍ଫ୍ୟୁ କରାଯିବ । ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟବେକ୍ଷକ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟେଷ୍ଟିଂ କେମିତି ବଢିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି । ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ବଢିଲାଣି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଦରକାର ପଡିଲେ ଜିଲ୍ଲାପାଳମାନେ ନାଇଟ୍ କର୍ଫ୍ୟୁ ଲୋଡିପାରିବେ । ରିପୋର୍ଟ ପଠାଇ ସରକାରଙ୍କଠୁ ଅନୁମତି ନେଇପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ଦିନକର୍ଫ୍ୟୁ ନେଇ ତିନି ଜଣଙ୍କ ବୟାନ ଦ୍ୱନ୍ଦ୍ୱ ବଢାଇଥିବା ବେଳେ କାହା କଥାକୁ ବିଶ୍ୱାସ କରିବେ ରାଜ୍ୟବାସୀ । ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି ।