ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ : ଜୁଲାଇ ୧୯ରୁ ଅଗଷ୍ଟ ୧୩ ମଧ୍ୟରେ ରହିବ ୧୯ କାର୍ଯ୍ୟଦିବସ 

107

କନକ ବ୍ୟୁରୋ :ଆସନ୍ତାକାଲି ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହାକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କ ସହିତ ସର୍ବଦଳୀୟ ବୈଠକ କରିବେ । ୧୯ ଦିନର ଗୃହ କାର୍ଯ୍ୟ ସୁଚାରୁରୂପେ ଚଳାଇବାକୁ ଅପିଲ କରିବେ ମୋଦୀ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ସଂସଦ ପରିଚଳାନା ନେଇ ଆଲୋଚନା କରିବାର ରହିଛି ।

ସେପଟେ କଂଗ୍ରେସ ସାଂସଦଙ୍କ ସହ ସୋନିଆ ଗାନ୍ଧିଙ୍କର ମଧ୍ୟ ବୈଠକ ରହିଛି । ଚଳିତ ଅଧିବେଶନରେ ଦରଦାମ୍ ବୃଦ୍ଧି ମୁଖ୍ୟ ପ୍ରସଙ୍ଗ ରହିବ । ମୌସୁମୀ ଅଧିବେଶନ ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବ । ଲୋକସଭାର ମୌସୁମୀ ଅଧିବେଶନ କୋଭିଡର ସମସ୍ତ ନିୟମ ପାଳନ ମଧ୍ୟରେ ଆରମ୍ଭ ହେବ । ଜୁଲାଇ ୧୯ରୁ ଅଗଷ୍ଟ ୧୩ ତାରିଖ ମଧ୍ୟରେ ମୌସୁମୀ ଅଧିବେଶନରେ ରହିବ ମୋଟ୍ ୧୯ଟି କାର୍ଯ୍ୟଦିବସ ।

ପିଆରଏସ ଲେଜିସଲେଟର ଅନୁସାରେ ଏବେ ସଂସଦରେ ପାରିତ ହେବା ଅପେକ୍ଷାରେ ପଡି ରହିଛି ୩୮ଟି ବିଧେୟକ । ସେଥିମଧ୍ୟରୁ ଚଳିତ ମୌସୁମୀ ଅଧିବେଶନରେ ୯ଟି ବିଧେୟକ ଉପରେ ଆଲୋଚନା ହୋଇ ସଂସଦରେ ଗୃହୀତ ହେବା ଆଶା ରହିଛି । ତେବେ ଏହା ସହିତ ଚଳିତ ଅଧିବେଶନରେ ମୋଦୀ ସରକାର ୧୭ଟି ନୂଆ ବିଲ୍ ଆଣିପାରନ୍ତି ।