ସୂର୍ଯ୍ୟୋଦୟ ଅପେକ୍ଷାରେ ଭାରତର ମିଶନ ଚନ୍ଦ୍ରଯାନ-୩ । ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟୋଦୟ ନେଇ ଆଶାବାଦୀ ଇସ୍ରୋ

6,514

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ପୁଣି ଆରମ୍ଭ ହେବ ହଲଚଲ । ପୁଣି ସକ୍ରିୟ ହୋଇ ଉଠିବ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର । ଗୁରୁବାର ଶିବଶକ୍ତି ପଏଂଟରେ ପୁଣି ଚମକି ଉଠିବ ଭାରତର ମିଶନ ଚନ୍ଦ୍ରଯାନ-୩ । ଅବତରଣର ୧୧ ଦିନ ପରେ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’କୁ ସ୍ଲିପ୍ ମୋଡକୁ ପଠାଯାଇଥିଲା । ତେବେ ଗୁରୁବାର ଶିବଶକ୍ତି ପଏଂଟରେ ସୂର୍ଯ୍ୟୋଦୟ ହେବା ନେଇ ଆଶା କରିଛି ଇସ୍ରୋ । ଆଉ ସୂର୍ଯ୍ୟୋଦୟ ହେଲେ ପୁଣି ସକ୍ରିୟ ହେବେ ବିକ୍ରମ ଓ ପ୍ରଜ୍ଞାନ । ଏହା ପରେ ଇସ୍ରୋ ପୁଣି ଥରେ ବିକ୍ରମ ଓ ପ୍ରଜ୍ଞାନ ସହ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିବ ।
– ଚନ୍ଦ୍ରୟାନ-୩ ପାଇଁ ଆଗାମୀ କିଛି ଘଂଟା ଅତି ଗୁରୁତ୍ୱପୂର୍ଣ୍ଣ
– ଶିବ ଶକ୍ତି ପଏଂଟରେ ଶୀଘ୍ର ହେବ ସୂର୍ଯ୍ୟୋଦୟ
– ବିକ୍ରମ ଓ ପ୍ରଜ୍ଞାନକୁ ମିଳିବ ସୂର୍ଯ୍ୟଙ୍କ କିରଣ
– ରୋଭର ଓ ଲ୍ୟାଣ୍ଡରକୁ ଏମିତିି ରଖଯାଇଥିଲା, ଯେପରି ସୂର୍ୟ୍ୟ ଉଦୟ ହେବା ପରେ ସୂର୍ଯ୍ୟଙ୍କ କିରଣ ସୋଲାର ପ୍ୟାନେଲ ଉପରେ ପଡ଼ିବ
– ଚନ୍ଦ୍ରଯାନ-୩ ମିଶନରେ ଲ୍ୟାଣ୍ଡର ବିକ୍ରମ ଓ ପ୍ରଜ୍ଞାନ ରୋଭରକୁ ଚନ୍ଦ୍ରକୁ ପଠାଯାଇଥିଲା
– ଲ୍ୟାଣ୍ଡର ଓ ରୋଭର ଦ୍ୱାରା ଚନ୍ଦ୍ରପୃଷ୍ଠରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଇଥିଲା

ସେପ୍ଟେମ୍ବର ୨୨ ତାରିଖରେ ବିକ୍ରମ ଓ ପ୍ରଜ୍ଞାନ ପୁଣି ସକ୍ରିୟ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି । ଏନେଇ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଲ୍ୟାଣ୍ଡର ଓ ରୋଭରକୁ ଶିବଶକ୍ତି ପଏଂଟରେ ରଖାଯାଇଛି ।ସୂର୍ଯ୍ୟୋଦୟ ପରେ ଏହାର ପେଲୋଡ୍ ପୁଣିଥରେ ଆରମ୍ଭ ହୋଇପାରେ  । ସେପ୍ଟେମ୍ବର ୪ ତାରିଖରେ ବିକ୍ରମ ଲ୍ୟାଣ୍ଡରକୁ ସ୍ଲିପିଂ ମୋଡକୁ ଅଣାଯାଇଥିଲା । କେବଳ ରିସିଭରକୁ ଛାଡ଼ି ବାକି ସମସ୍ତ ଯନ୍ତ୍ରାଂଶକୁ ବନ୍ଦ କରିଦିଆଯାଇଥିଲା ।

ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଂଚି ଇତିହାସ ରଚିଥିଲା । ଏହା ସହ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । କାରଣ ପୂର୍ବରୁ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଂଚି ପାରି ନାହାନ୍ତି । ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ୪ଟି ପର୍ଯ୍ୟାୟରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ।