ଡିଏସପି ଦେବେନ୍ଦ୍ରଙ୍କ ବେଇମାନପଣିଆର ବଡ ଖୁଲାସା । ଟଙ୍କା ପାଇଁ ଆତଙ୍କବାଦୀଙ୍କ ସହ ହାତ ମିଳାଇଥିଲେ , ଆର୍ମି ବେସ୍ କ୍ୟାମ୍ପ ପାଖରେ ନୂଆ ଘର ନିର୍ମାଣ କରୁଥିଲେ ।

386

ଟଙ୍କା ପାଇଁ ଆତଙ୍କବାଦୀଙ୍କ ସହ ମିଶି ଦେଶ ବିରୋଧରେ ଷଡଯନ୍ତ୍ର ରଚୁଥିଲେ ଜମ୍ମୁ-କାଶ୍ମୀରର ଡିଏସପି । ଏଭଳି ଏକ ସାଂଘାତିକ ସତ ସାମ୍ନାକୁ ଆସିବା ପରେ ଆଜି ଡିଏସପି ଦେବେନ୍ଦ୍ର ସିଂଙ୍କୁ ନେଇ ଆଉ ଏକ ବଡ ଖୁଲାସା ହୋଇଛି । ହଜିବୁଲ ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ସହ କାରରେ ଯାଉଥିବା ବେଳେ ଗିରଫ ହୋଇଥିବା ଡିଏସପି ଦେବେନ୍ଦ୍ର ଶ୍ରୀନଗର ଆର୍ମି ବେସ କ୍ୟାମ୍ପ ପାଖରେ ଏକ ଘର ନିର୍ମାଣ କରୁ୍ଥିବାର ଜଣାପଡିଛି ।

ଡିଏସପି ଦେବେନ୍ଦ୍ର ସିଂ ଶ୍ରୀନଗରର ଇନ୍ଦିରା ନଗରରେ ଏକ ନୂଆ ଘର ନିର୍ମାଣ କରୁଥିବା ବେଳେ ଏହାକୁ କାଶ୍ମୀରର ସବୁଠୁ ସୁରକ୍ଷିତ ଅଞ୍ଚଳ ବୋଲି କୁହାଯାଏ । ୨୦୧୭ରୁ ଏହି ଘରର ନିର୍ମାଣ ଚାଲିଥିବା ବେଳେ ଏଠାରୁ ବନ୍ଧୁକ ଓ ଗ୍ରେନେଡ ଜବତ କରିଥିଲା ପୋଲିସ । ଏହି ଘରଟି ଆର୍ମି ବେସ୍ କ୍ୟାମ୍ପ ପାଖରେ ରହିଛି । ତେବେ ଡିଏସପିଙ୍କ ଆତଙ୍କବାଦୀ ଲିଙ୍କ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପରିବାର ଲୋକଙ୍କ ବାବଦରେ କୌଣସି ଖବର କାହା ପାଖରେ ନାହିଁ । ଏପରିକି ଦେବେନ୍ଦ୍ର ଭଡାରେ ରହୁଥିବା ଘରେ ମଧ୍ୟ ତାଲା ପଡିଥିବାର ଜଣାପଡିଛି । ଦେବେନ୍ଦ୍ରଙ୍କ ବଡ ଝିଅ ବାଂଲାଦେଶରେ ଏମବିବିଏସ ପଢୁଥିବା ବେଳେ ସାନ ପୁଅ ସ୍କୁଲରେ ପାଠ ପଢୁଛି ।

ଶନିବାର ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ସହ କାରରେ ଯାଉଥିବା ବେଳେ ଦେବେନ୍ଦ୍ରଙ୍କୁ ଗିରଫ କରିଥିଲା ପୋଲିସ । ଏହି ଆତଙ୍କବାଦୀଙ୍କୁ ଦେବେନ୍ଦ୍ର ପ୍ରଥମେ ଚଣ୍ଡିଗଡ ଓ ପରେ ଦିଲ୍ଲୀ ପହଞ୍ଚାଇବାକୁ ଡିଲ୍ କରିଥିଲେ । ତେବେ ଦେବେନ୍ଦ୍ର ଧରାପଡିବା ପରେ ତାଙ୍କୁ ମଧ୍ୟ ଆତଙ୍କବାଦୀଙ୍କ ଭଳି ଜେରା କରାଯିବ ବୋଲି କହିଛନ୍ତି ଜମ୍ମୁ-କାଶ୍ମୀରର ଆଇଜି ।