ଆଡିଲେଡରେ ୱାର୍ଣ୍ଣର ଝଡ ! ପାକିସ୍ତାନକୁ ଘାଇଲା କଲା କଙ୍ଗାରୁ, ଏକାକୀ ୱାର୍ଣ୍ଣର ଖେଳିଲେ ୩୩୫ ରନର ଅପରାଜିତ ତ୍ରିଶତକୀୟ ପାଳି ।

688

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ଆଡିଲେଡ ଓଭାଲଠାରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି କଙ୍ଗାରୁ ଦଳ । ପାକିସ୍ତାନ ବୋଲରଙ୍କୁ ଧରାଶାୟୀ କରିବା ସହ ଏକାକୀ ତ୍ରିଶତକୀୟ ପାଳି ଖେଳିଛନ୍ତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର ।

ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୫୮୯ ରନର ଏକ ବିଶାଳ ସ୍କୋର ଛିଡା କରିଛି । ଏହାର ଜବାବରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପାକିସ୍ତାନ ନିଜର ପ୍ରଥମ ଇନିଂସରେ ୬ ଓ୍ଵିକେଟ ହରାଇ ୯୧ ରନ ସଂଗ୍ରହ କରିଛି ।

ଅଷ୍ଟ୍ରେଲିଆ ଇନିଂସର ସବୁଠାରୁ ବଡ଼ ଆକର୍ଷଣ ଥିଲା ଓପନର ଡେଭିଡ ଓ୍ଵାର୍ଣ୍ଣରଙ୍କ ବିଶାଳ ୩୩୫ ରନ । ୪୧୮ଟି ବଲ ଖେଳି ୩୯ ଚୌକା ଓ ଗୋଟିଏ ଛକା ସହ ସେ ଏହି ସ୍କୋର କରିଥିଲେ । ଏହି ସ୍କୋର ସହ ସେ ଗୋଟିଏ ଇନିଂସରେ ଅଷ୍ଟ୍ରେଲିଆର ୨ୟ ସର୍ବାଧିକ ରନ ସଂଗ୍ରହକାରୀରେ ପରିଣତ ହୋଇଛନ୍ତି । ପୂର୍ବରୁ ମାଥ୍ୟୁ ହେଡେନ ୨୦୦୩ରେ ଜିମ୍ବାୱେ ବିରୁଦ୍ଧରେ ୩୮୦ ରନ କରିଥିଲେ । ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆର ଲାର୍ନସ ଲାବୁସଚାଙ୍ଗେ ମଧ୍ୟ ୧୬୨ରନ ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ମାତ୍ର ୩ଟି ଓ୍ଵିକେଟ ହରାଇ ୫୮୯ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ପାକିସ୍ତାନ ପକ୍ଷରୁ କେବଳ ସାହିନ ଆଫ୍ରିଦି ୩ଟି ଓ୍ଵିକେଟ ନେଇଥିଲେ । ଅନ୍ୟ ସମସ୍ତ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ ।