ସମ୍ପତିକୁ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ: ଏବେ କୌଣସି ବି ସ୍ଥିତିରେ ବାପାଙ୍କ ସଂପତିରେ ରହିବ ଝିଅର ଅଧିକାର…ବିବାହିତା ହୁଅନ୍ତୁ କିମ୍ବା ଅବିବାହିତା ପୈତୃକ ଜମିରେ ଭାଇ ପରି ଭଉଣୀର ରହିବ ସମାନ ହକ୍; ନିଜ ଇଚ୍ଛାରେ କାହା ନାଁରେ ସଂପତି ଲେଖିପାରିବେନି ବାପା

8,002

କନକ ବ୍ୟୁରୋ: ଏଣିକି ପୈତୃକ ସଂପତି ଉପରେ ପୁଅଙ୍କ ଭଳି ଝିଅଙ୍କର ବି ରହିବ ସମାନ ଅଧିକାର । ସେ ବିବାହିତା ହୋଇଥାଆନ୍ତୁ କିମ୍ବା ଅବିବାହିତା ଝିଅଙ୍କୁ ନିଜ ବାପାଙ୍କ ସଂପତିରେ ମିଳିବ ବରାବର ଅଧିକାର । ଏନେଇ ସ୍ପଷ୍ଟ କରିବା ସହ ଐତିହାସିକ ନିଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ହିନ୍ଦୁ ଆମେଣ୍ଡମେଂଟ ଆକ୍ଟ ଅନୁଯାୟୀ ଝିଅମାନଙ୍କୁ ପୈତୃକ ସଂପତିରେ ଏହି ହକ୍ ପ୍ରଦାନ କରାଯିବ ।

ଯଦି ହିନ୍ଦୁ ଉତରାଧିକାର ଆକ୍ଟ ୨୦୦୫ ଲାଗୁ ହେବା ପୂର୍ବରୁ ହିଁ କୋପର୍ଶନଙ୍କ ମୃତ୍ୟୁ ହୋଇଯାଇଥାଏ ତେବେବି ବାପାଙ୍କ ସଂପତି ଉପରେ ଝିଅଙ୍କର ଅଧିକାର ରହିବ । ଭାଇମାନଙ୍କ ଭଳି ବାପାଙ୍କ ସଂପତିରେ ଭଉଣୀମାନେ ବି ସମାନ ଅଧିକାର ପାଇବେ । ତେବେ ୨୦୦୫ରେ ନିୟମ ରହିଥିଲା ଯେ, ଉଭୟ ପୁଅ ଏବଂ ଝିଅଙ୍କୁ ପୈତୃକ ସଂପତିରେ ସମାନ ଅଧିକାର ମିଳିବ । କିନ୍ତୁ ଏହା ସ୍ପଷ୍ଟ ହୋଇନଥିଲା କି, ଯଦି ୨୦୦୫ ପୂର୍ବରୁ ପିତାଙ୍କର ମୃତ୍ୟୁ ହୋଇଥିଲେ ତେବେ ଏହି ନିୟମ ଲାଗୁ ହେବ କି ନାହିଁ । ଏନେଇ ଆଜି ଜଷ୍ଟିସ ଅରୁଣ ମିଶ୍ର ଖଣ୍ଡପୀଠରେ ନିଷ୍ପତି ଶୁଣାଇଛନ୍ତି କି ଏହି ଆଇନ କୌଣସି ବି ପରିସ୍ଥିତିରେ ଲାଗୁ ହେବ । ଯଦି ବାପାଙ୍କ ଦେହାନ୍ତ ନିୟମ ପ୍ରଣୟନ ହେବା ପୂର୍ବରୁ ଅର୍ଥାତ୍ ୨୦୦୫ ପୂର୍ବରୁ ହୋଇସାରିଛି ତେବେ ବି ପୁଅ ଭଳି ଝିଅକୁ ସମାନ ଅଧିକାର ମିଳିବ ।

ହିନ୍ଦୁ ନିୟମ ଅନୁସାରେ ସଂପତି ଦୁଇ ପ୍ରକାରର ହୋଇପାରେ । ପ୍ରଥମଟି ହେଲା ବାପାଙ୍କ ଦ୍ୱାରା କିଣା ଯାଇଥିବା ସଂପତି ଏବଂ ଦ୍ୱିତୀୟଟି ହେଉଛି ପୈତୃକ ସଂପତି । ଯାହାକି ଗତ ଚାରି ପୀଢି ଧରି ପୁଅଙ୍କୁ ମିଳିଆସୁଛି । ଆଇନ ଅନୁଯାୟୀ, ସେ ପୁଅ ହେଉ ଅବା ଝିଅ ଏହି ସଂପତି ଉପରେ ଏବେ ଉଭୟଙ୍କ ଜନ୍ମରୁ ସମାନ ଅଧିକାର ରହିଛି । ତେବେ ଆଇନ କହୁଛି ଯେ, ବାପା ଏପରି ସଂପତିକୁ ନିଜ ଇଚ୍ଛାରେ କାହାକୁ ଦେଇପାରିବେ ନାହିଁ । ଅର୍ଥାତ୍ ଏକ୍ଷେତ୍ରରେ ସେ କୌଣସି ଜଣଙ୍କ ନାଁରେ ନିଜର ସଂପତି କରିପାରିବେ ନାହିଁ ।

ସେହିଭଳି ଯଦି ବାପାଙ୍କ ମୃତ୍ୟୁ ହୋଇଯାଏ ଆଉ ମରିବା ପୂର୍ବରୁ ସେ କାହା ନାଁରେ ତାଙ୍କ ସଂପତି କରିଯାଇନାହାନ୍ତି ତେବେ ଏଭଳି ସ୍ଥିତିରେ ସମସ୍ତ ଉତରାଧିକାରୀଙ୍କ ସଂପତି ଉପରେ ସମାନ ଅଧିକାର ରହିବ । ଯଦି ସରଳ ଭାଷାରେ କୁହାଯାଏ ତେବେ ହିନ୍ଦୁ ଉତରାଧିକାର ଆଇନରେ ପୁରୁଷ ଉତରାଧିକାରଙ୍କୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯିବ ।