କନକ ବ୍ୟୁରୋ : ପୁଅ ପଣିଆକୁ ଧିକ୍ ! ଏମିତି ପୁଅ ଥିବା ଯାହା ନଥିବା ତାହା । ଚାଲିଗଲା ମାଆ...ହେଲେ ପାଖ ମାଡିଲାନି ଜନ୍ମକଲା ପୁଅ । ମାଆଙ୍କ ମୃତଦେହକୁ ଯଥାରୀତିରେ ସଂସ୍କାର କରିବା ପାଇଁ ଆଗେଇ ଆସିଲେ ୬ ଝିଅ । କାନ୍ଧରେ ମଶାଣିକୁ ନେବା ସହ ମୁଖାଗ୍ନି ଦେଲେ । ଅନ୍ୟ ଏକ ସ୍ଥାନରେ ଆଉ ଜଣେ ମହିଳା ବି ଚାଲିଗଲେ। ଅତ୍ୟନ୍ତ ନିଃସହାୟ ଅବସ୍ଥାରେ ପଡ଼ିରହିଥିଲେ ବି ଶବ ସତ୍କାର କରିବା ପାଇଁ ସ୍ଥାନୀୟ ଲୋକ ବାହାରିନଥିଲେ । ମାତ୍ର, ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ । ଶ୍ମଶାନରେ ସଂସ୍କାର କରିଥିବାବେଳେ ମହିଳାଙ୍କ ବୃଦ୍ଧ ସ୍ବାମୀ ମୁଖାଗ୍ନି ଦେଇଥିଲେ ।

Advertisment

ଏହି ଘଟଣାରେ ବାପା କି ମା’ ମରିଗଲେ ପୁଅ ମୁଖାଗ୍ନି ଦେବାର ଯେଉଁ ପ୍ରଚଳିତ ପରମ୍ପରା ରହିଛି, ତାହାର ‌ବ୍ୟତିକ୍ରମ କହିଲେ ଅତ୍ୟୁକ୍ତି ନୁହେଁ । ତେବେ, ଏହିଭଳି ଘଟଣା ନୂଆ କି ପ୍ରଥମ ନୁହେଁ। ଏହାପୂର୍ବରୁ ସମାନ ଧରଣର ଘଟଣା ଘଟିସାରିଛି ଏବଂ ଏହି ଘଟଣା ସେଥିରେ ସଂଲଗ୍ନ ହୋଇଯାଇଛି । ପୁଅ ନଥିଲେ ଯେ ରୀତିନୀତି କି କ୍ରିୟାକର୍ମ ସମ୍ପନ୍ନ ହୋଇପାରିବ ନାହିଁ, ସେହି ପାରମ୍ପରିକ ଧାରଣା ଏବେ ବଦଳୁଥିବା ଦେଖିବାକୁ ମିଳିଛି ।

୧୫ବର୍ଷ ଧରି ସମ୍ବଲପୁରର ଗୁଜୁରାତି କଲୋନୀରେ ରହୁଥିଲେ ସ୍ବର୍ଗତ ଭୁବନ ସାହୁଙ୍କ ପତ୍ନୀ ଶ୍ରୀମତୀ ସାହୁ । ସ୍ବାମୀଙ୍କ ମୃତ୍ୟୁ ପରେ ପୁଅ ତାଙ୍କୁ ପଚାରୁନଥିଲେ । ଝିଅମାନେ ତାଙ୍କ ସେବାଯତ୍ନ କରୁଥିଲେ । ୮୦ ବର୍ଷ ବୟସରେ ଶ୍ରୀମତୀଙ୍କ ପରଲୋକ ହୋଇଯାଇଥିଲା । ଏକ ଘରୋଇ କଂପାନିରେ ଚାକିରି କରୁଥିବା ପୁଅ ମୁଖାଗ୍ନି ଦେବା ଦୂ‌ରେଥାଉ ମା’ଙ୍କ ଶେଷଦର୍ଶନ ପାଇଁ ବି ଆସିନଥିଲେ । ଏଭଳି ସ୍ଥିତିରେ ଅତ୍ୟନ୍ତ ଛଳ ଛଳ ଆଖିରେ ମା’ଙ୍କ ମରଶରୀରକୁ କାନ୍ଧରେ ବୋହିଥିଲେ ୬ ଝିଅ । ସୁଶୀଲା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା । ସେତିକିରେ କେବଳ କଥା ସରିନଥିଲା, ମା’ ଚାଲିଯିବାର ଦୁଃଖକୁ ଜାବୁଡି ଧରି ଛଅ ଝିଅ ମୁଖାଗ୍ନି ଦେଇଛନ୍ତି ।

ସବୁ ପିତାମାତା ଚାହାନ୍ତି, ପୁଅ ସେମାନଙ୍କ ଜୀବନର ଶେଷ ପର୍ଯ୍ୟାୟ ବୃଦ୍ଧାବସ୍ଥାରେ ଦେଖାଶୁଣା କରୁ, ସେମାନଙ୍କ ଯତ୍ନ ନେଉ । ଆଉ ପରଲୋକ ପରେ ମୁଖାଗ୍ନି ବି ଦେଉ । ହେଲେ, ସମସ୍ତଙ୍କ ଭାଗ୍ୟରେ ସେଭଳି ଘଟିନଥାଏ । ମାତ୍ର, ବିଭିନ୍ନ ସମୟରେ ଏହି ପରମ୍ପରାର ବ୍ୟତିକ୍ରମ ଘଟିବା ସହ ନୂଆ ପରମ୍ପରା ସୃଷ୍ଟି ହେବାର ନଜିର୍‌ ରହିଛି । ଏହି ଘଟଣା ସମାଜ ପାଇଁ ଭଲ ପରମ୍ପରାର ନିଦର୍ଶନ ।