ସହିଦ ବାପାଙ୍କ ପ୍ରତି କୁନି ଝିଅର ଭଲ ପାଇବା । ଗର୍ଭରେ ଥିବା ବେଳେ ସହିଦ ହୋଇଯାଇଥିଲେ ବାପା, ଜନ୍ମଦିନରେ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଗେଲ କରି ଚାଲିଥିଲା କୁନି ଝିଅ ।

1,863

କନକ ବ୍ୟୁରୋ :  ଜନ୍ମ ହେବା ପୂର୍ବରୁ ବାପା ଛେଉଣ୍ଡ ହୋଇଯାଇଥିଲା ଝିଅ। ଶତ୍ରୁଙ୍କ ସହ ଲଢେଇ କରୁ କରୁ ବାପା ସହିଦ ହୋଇ ଚାଲି ଯାଇଥିଲେ ଆରପାରିକୁ । ଦୁନିଆ ଦେଖିବା ଆଗରୁ କୁନି ଝିଅଟି ବୋଧହୁଏ ନିଜ ଜୀବନର ସବୁଠୁ ମୂଲ୍ୟବାନ ସମ୍ପତି ହରାଇସାରିଥିଲା । କୁନି ଝିଅ ଯଦିଓ ବାପାଙ୍କୁ ସତରେ ଦେଖି ନ ଥିଲା କିନ୍ତୁ ଫଟୋରେ ଦେଖି ଦେଖି ନିଜ ବାପାଙ୍କୁ ବେଶ ଭଲ ଭାବେ ଚିହ୍ନି ସାରିଥିଲା । ଆଉ ଯେତେବେଳେ ବାପାଙ୍କ ପ୍ରତିମୂର୍ତ୍ତି ଦେଖିଲା ସେତେବେଳେ ନିଜର ସବୁ ଭଲପାଇବା ଅଜାଡି ଦେଇଥିଲା ବାପାଙ୍କ ଆଗରେ । ବାପାଙ୍କ ପ୍ରତିମୂର୍ତ୍ତି ଦେହରେ ଜୀବନ ଭରିଦେବାକୁ ଯେପରି ଶତଚେଷ୍ଟା କରୁଥିଲା କୁନି ଝିଅ । ବାପାଙ୍କୁ ଗେଲ କରୁଥିଲା, ଖୁଆଇ ଦେଉଥିଲା । ଆଉ କୁନି ଝିଅର ଏଭଳି ଭଲପାଇବା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ । ସହିଦ ବାପାଙ୍କ ପ୍ରତମୂର୍ତ୍ତି ଧରି ଗେଲ କରୁଥିବାର ଏହି ଦୃଶ୍ୟ ଭାଇରାଲ ହେବା ପରେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଛି । ଗତ ୨୦୧୮ ଜାନୁଆରୀ ୨୪ରେ ନକ୍ସଲଙ୍କ ସହ ଲଢୁ ଲଢୁ ସହିଦ ହୋଇଥିଲେ ମୂଲଚାନ୍ଦ କୁମାର । ସେତେବେଳେ ଏହି ଘଟଣା ପୂରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । କାରଣ ମୁଲଚାନ୍ଦଙ୍କ ପତ୍ନୀ ଆଉ ଏକ ନୂଆ ଜୀବନକୁ ଦୁନିଆକୁ ଆଣିବାକୁ ହସ୍ପିଟାଲ ବେଡରେ ସଂଘର୍ଷ କରୁଥିଲେ । ପତ୍ନୀ ଗର୍ଭବତୀ ଥିବା ବେଳେ ମୁଲଚାନ୍ଦଙ୍କ ସହିଦ ହେବା ଖବର ପୂରା ପରିବାର ଉପରେ ବେଶ କିଛି ଦିନ ଶୋକର କଳାବାଦଲ ହୋଇ ଘୂରିବୁଲୁଥିଲା । ଆଉ ଏସବୁ ଭିତରେ ମୁଲଚାନ୍ଦଙ୍କ ସହିଦ ହେବା ଘଟଣାକୁ ପାଖାପାଖି ୨ ବର୍ଷ ପୂରିବାକୁ ବସିଛି । ବାପାଙ୍କ ଫଟୋ ଦେଖି ବଡ ହୋଇଥିବା ଝିଅ ଯେତେବେଳେ ତାଙ୍କ ଜନ୍ମଦିନରେ ପ୍ରତିମୂତ୍ତି ଦେଖିଛି ସେତେବେଳେ ବୋଧହୁଏ ଦୀର୍ଘ ଦିନ ଧରି ଜାବୁଡି ରଖିଥିବା ଭଲପାଇବାକୁ ଅଜାଡି ଦେଇଛି । ଆଉ ପ୍ରତିମୂତ୍ତିରେ ବାପାଙ୍କୁ ଖୋଜିବାକୁ ଚେଷ୍ଟା କରିଛି । ହେଲେ ସେ କେମିତି ବା ଜାଣିବ ବାପା ଅଫେରା ଦୁନିଆର ଆଉ ଫେରିବନି ବୋଲି ।