ପ୍ରେମ ବିବାହ କଲେ ଝିଅ, ବଞ୍ଚି ଥାଉ ଥାଉ ଝିଅକୁ ଶୁଦ୍ଧି ହୋଇଗଲେ ବାପା ।

337

କନକ ବ୍ୟୁରୋ : ଝିଅ ପ୍ରେମ ବିବାହ କରିବାରୁ ଶୁଦ୍ଧି ହେଲେ ବାପା । ବଞ୍ଚି ଥାଉ ଥାଉ ଝିଅକୁ ଶୁଦ୍ଧି ହୋଇଛନ୍ତି ପୂରା ପରିବାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଅଂଚଳରେ । ସୂଚନା ଅନୁସାରେ, ମାହାଙ୍ଗାର ଉମର ଗାଁର ଝିଅ ନିଜ ଗାଁର ଆକାଶ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ପ୍ରାୟ ୧୧ ଦିନ ତଳେ ଆକାଶଙ୍କ ସହ ଘରୁ ପଳାଇଥିଲେ ସଂପୃକ୍ତ ଯୁବତୀ । ଖୋଜାଖୋଜି କରିବା ପରେ ଯୁବତୀଙ୍କର ପତ୍ତା ମିଳିନଥିଲା । ଶନିବାର ଭିଡିଓ କଲ୍ କରି ସଂପୃକ୍ତ ଯୁବତୀ ବାହା ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ଯାହାକୁ ନେଇ ପରିବାର ଲୋକ ଉତକ୍ଷୀପ୍ତ ହେବା ସହ ରାଗରେ ଝିଅକୁ ଶୁଦ୍ଧି ଦେଇଛନ୍ତି ।

ବଡ଼ କଥା ହେଉଛି, ଯୁବକ-ଯୁବତୀଙ୍କ ପ୍ରେମକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଏକାଧିକଥର ବଚସା ଓ ମାରପିଟ୍ ହୋଇଛି । ଏମିତିକି ମାମଲା ଥାନା ଓ କୋର୍ଟରେ ଗଡ଼ୁଛି । ଯୁବତୀଙ୍କ ଘରର ଅଭିଯୋଗରେ ସଂପୃକ୍ତ ଯୁବକ ଥରେ ଜେଲ୍ ମଧ୍ୟ ଯାଇସାରିଛନ୍ତି । ସେତେବେଳେ ଯୁବତୀ ଜଣକ ନାବାଳିକା ଥିଲେ, ଯେଉଁଥିପାଇଁ ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲେ । କିନ୍ତୁ ଶନିବାର ଯେଉଁ ଭିଡିଓଟି ଯୁବତୀ ଜଣକ ପଠାଇଛନ୍ତି, ସେଥିରେ ସେ ଦାବି କରିଛନ୍ତି ସେ ସାବାଳିକା ଏବଂ ତାଙ୍କ ପରିବାର ଲୋକ ତାଙ୍କ ପ୍ରେମରେ ବାଧା ସୃଷ୍ଟି କରିଛନ୍ତି । ଯଦି ଆକାଶ କିମ୍ବା ତାଙ୍କ ପରିବାର ଲୋକଙ୍କର କୌଣସି କ୍ଷତି ହୁଏ, ଏଥିପାଇଁ ତାଙ୍କ ମାଆ-ବାପା ଦାୟୀ ରହିବେ ବୋଲି କହିଛନ୍ତି । ଏ ଭିଡିଓ ଦେଖିବା ପରେ ଯୁବତୀଙ୍କ ବାପା ଶୁଦ୍ଧି ହୋଇଛନ୍ତି । ସାହି ଭାଇ ଓ ଗାଁର ଲୋକଙ୍କୁ ଡାକି ସଂପୃକ୍ତ ଯୁବତୀଙ୍କ ବାପା ଭୋଜିଭାତର ଆୟୋଜନ ମଧ୍ୟ କରିଛନ୍ତି ।