ବାହାବେଦୀରେ କନ୍ୟା ଦେଖାଇଲେ ବଦାନ୍ୟତା, ବାଳିକା ହଷ୍ଟେଲକୁ ଦାନ କରିଦେଲେ ଯୌତୁକ ଟଙ୍କା

152

କନକ ବ୍ୟୁରୋ : ଟଙ୍କା ପାଇଁ ଆଜିର ସମାଜରେ ପ୍ରତିଟି ମଣିଷ ଅଣ ନିଶ୍ୱାସୀ ହୋଇ ଦୌଡିବାରେ ଲାଗିଛି । କିଏ ଶ୍ରମକରି ଟଙ୍କା ରୋଜଗାର କରୁଛି ତ କିଏ ଅନ୍ୟର ତଣ୍ଟିକାଟି । ଏହାର କାରଣ ଦୁନିଆରେ ଟଙ୍କା ହିଁ ଏକମାତ୍ର ସତ୍ୟ, ଏହା ବିନା ଗୋଟିଏ ମିନିଟ ବି ବଞ୍ଚିବା ସମ୍ଭବ ନୁହେଁ । ହେଲେ ଆମେ ଆପଣଙ୍କୁ ଏମିତି ଏକ ଖବର ଦେବାକୁ ଯାଉଛୁ ଯେ ଯାହା ଜାଣିଲେ ଆପଣ ସେହି କନ୍ୟାକୁ ଧନ୍ୟବାଦ ନଦେଇ ରହିପାରିବେ ନାହିଁ ।

ରାଜସ୍ଥାନର ବାଡମେରରେ ଏକ ବାହାଘର ଏବେ ବେସ୍ ଚର୍ଚ୍ଚାରେ ରହିଛି । ଏଠାରେ ବାହା ବେଦୀରେ ଜଣେ କନ୍ୟା ତାଙ୍କ ପିତାଙ୍କ ଦ୍ୱାରା ଦିଆଯାଇଥିବା ୭୫ ଲକ୍ଷ ଟଙ୍କାକୁ ବାଳିକା ହଷ୍ଟେଲକୁ ଦାନ କରି ନିଜର ବଦାନ୍ୟତା ଦେଖାଇଛନ୍ତି । ଏହାକୁ ନେଇ ଉକ୍ତ କନ୍ୟା ବି ବେସ୍ ଖୁସି ହୋଇଥିଲେ । ବାପା ଓ ଝିଅଙ୍କର ଏଭଳି କାର୍ଯ୍ୟ ଏବେ ପୁରା ଦେଶରେ ଚର୍ଚ୍ଚା ହେଉଛି ।

କହିରଖୁ କି ୭୫ ଲକ୍ଷ ଟଙ୍କା ଦାନ କରିବା ପଛରେ ଥିବା କନ୍ୟା ଅଞ୍ଜଳୀଙ୍କର ସଂଘର୍ଷର କାହାଣୀ ଲୁଚି ରହିଛି । ଅଞ୍ଜଳୀ କହିଛନ୍ତି କି ସେ ଯେତେବେଳେ ଦ୍ୱାଦଶ ପାସ କରି ଆଗକୁ ପଢିବାକୁ ଚାହିଁଲେ ସେତେବେଳେ ତାଙ୍କ ସମାଜ ଏହାକୁ ବିରୋଧ କରିବା ସହ ଅଞ୍ଜଳଳୀଙ୍କୁ ଥଟ୍ଟା କରିଥିଲେ । ଅଞ୍ଜଳୀ ବାଡମେର ଜିଲ୍ଲାର କାନୋଡ ଗାଁରେ ରହିଥାନ୍ତି ଓ ସେ ଯେଉଁ ସମାଜରୁ ଆସିଛନ୍ତି ସେହି ସମାଜ ମହିଳା ଶିକ୍ଷାକୁ ଗୁରୁତ୍ୱ ଦେଇ ନଥାଏ ।

ଅଞ୍ଜଳୀ ଯୋଦ୍ଧପୁରରେ ଦ୍ୱାଦଶ ପାସ କରିବା ପରେ ଦିଲ୍ଲୀ ପଳାଇ ଆସିଥିଲେ । ସେଠାରେ ସେ ଗ୍ରାଜୁଏସନ ସାରି ଏବେ ଓକିଲାତି ପଢୁଛନ୍ତି । ସେଠାରେ ଏକ ବାଳିକା ହଷ୍ଟେଲ କରିବାକୁ ଅଞ୍ଜଳୀଙ୍କ ପିତା ପ୍ରଥମେ ୧ କୋଟି ଟଙ୍କା ଦାନ କରିଥିଲେ । ହେଲେ ସେହି ଟଙ୍କାରେ ହଷ୍ଟେଲଟି ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଏକଥା ଅଞ୍ଜଳୀ ଜାଣିବା ପରେ ସେ ଏହି ହଷ୍ଟେଲକୁ ସମ୍ପୂର୍ଣ୍ଣ କରିବାକୁ ପଣ କରିଥିଲେ ।

ନଭେମ୍ବର ୨୧ ତାରିଖରେ ଅଞ୍ଜଳୀଙ୍କ ବାହାଘର ପ୍ରବୀଣ ସିଂ ନାମକ ଜଣେ ଯୁବକ ସହିତ ହୋଇଥିଲା । ବାହାବେଦୀରେ ଅଞ୍ଜଳୀଙ୍କ ପିତା କନ୍ୟାଦାନ କରିବା ବେଳେ ଅଞ୍ଜଳୀଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିଲେ । ଅଞ୍ଜଳୀଙ୍କ ପାଇଁ ଏହାଥିଲା ସୁଯୋଗ ଓ ତୁରନ୍ତ ସେ ସେହି ଟଙ୍କାଙ୍କୁ ବାଳିକା ହଷ୍ଟେଲ ନିର୍ମାଣ ପାଇଁ ଦାନ କରିଦେଇଥିଲେ ।