ବାପାଙ୍କୁ ଛାଡିଦେବା ପାଇଁ ପୁଲିସ ଭ୍ୟାନରେ ମୁଣ୍ଡ ପିଟିଲା କୁନି ଝିଅ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରେ ବାପାକୁ ଛାଡିଲା ପୁଲିସ, ଝିଅଙ୍କ ସହ ଦୀପାବଳି ପାଳିଲେ ଉଚ୍ଚ ଅଧିକାରୀ

504

କନକ ବ୍ୟୁରୋ : ବୁଲନ୍ଦସହରରେ ବାଣ ଦୋକାନ ଉପରେ ଚଢାଉ ସମୟରେ ପୁଲିସର ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ବାଣ ବିକ୍ରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେବା ବେଳେ କୁନି ଝିଅ ତାବାପାକୁ ଛାଡିଦେବାକୁ ନେହୁରା ହୋଇଥିଲା । ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୁଲନ୍ଦ ସହର ପୁଲିସ ବ୍ୟାକଫୁଟକୁ ଚାଲି ଆସିଥିଲା । ପରେ ସଂପୃକ୍ତ ବେପାରୀଙ୍କୁ ଛାଡିଦେବା ସହ କୁନି ଝିଅଙ୍କ ସହ ଦୀପାବଳି ପାଳନ କରିଛନ୍ତି ଜିଲ୍ଲା ପ୍ରଶାସନର ଉଚ୍ଚଅଧିକାରୀ ।

ପୁଲିସ ଭ୍ୟାନରେ ବାରମ୍ବାର ମୁଣ୍ଡ ପିଟୁଛି କୁନି ଝିଅ । କାନ୍ଦି କାନ୍ଦି ପୁଲିସ ବାବୁଙ୍କୁ ଅନୁରୋଧ କରୁଛି, ବାପାଙ୍କୁ ଛାଡି ଦିଅ । ପୁଲିସ ବଳପୂର୍ବକ ବାପାକୁ ଭ୍ୟାନ ଭିତରକୁ ଠେଲି ଦେବା ବେଳେ ଭ୍ୟାନର କବାଟକୁ ଧରି ପକାଉଛି । କିନ୍ତୁ ଏହି କୁନି ଝିଅର କାକୁତି ମିନତି ପୁଲିସ ଅଧିକାରୀଙ୍କ ଉପରେ କିଛି ପ୍ରଭାବ ପକାଉ ନାହିଁ । ଉତରପ୍ରଦେଶ ବୁଲନ୍ଦ ସହରର ଏ-ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବ୍ୟାନ ସତ୍ୱେ ବାଣ ବିକ୍ରି ଅଭିଯୋଗରେ ବେପାରୀଙ୍କୁ ପୁଲିସ ଉଠାଇନେବା ବେଳେ ଛାଡି ଦେବାକୁ ନେହୁରା ହେଉଥିଲେ କୁନି ଝିଅ ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବୁଲନ୍ଦ ସହର ପୁଲିସର କାର୍ଯ୍ୟାନୁୁଷ୍ଠାନ କାଠଗଡାକୁ ଟାଣି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ସ୍ୱତଃସଜ୍ଞାନ ନେବା ପରେ ମାମଲା ପଲଟି ଯାଇଥିଲା ।

ସଂପୃକ୍ତ ଦୋକାନୀକୁ ଛାଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପୁଲିସ ଓ ପ୍ରଶାସନକୁ ନିଜ ଭୁଲ ବୁଝି ପାରିବା ପରେ ଖୁର୍ଜା ଏସଡିଏମ ଓ ଏସପି କୁନି ଝିଅଙ୍କ ଘରକୁ ଦୀପାବଳି ପାଳନ କରିବାକୁ ପହଂଚିଥିଲେ । କୁନି ଝିଅ ସହ ମିଶି ଘରେ ଦୀପ ଜଳେଲେ ଓ ମିଠା ଖୁଆଇ ଦୀପାବଳି ପାଳନ କରିଥିଲେ । ଏହାପରେ କିଛି ସମୟ କୁନି ଝିଅ ସହ ବିତାଇଲେ, ଯେପରି ଜଣେ ନାବାଳିକା ମନରେ ପୁଲିସ ପ୍ରଶାସନ ପ୍ରତି ନକରାତ୍ମକ ଭାବନା ସୃଷ୍ଟି ନହେବ ।

କୁନି ଝିଅଟି ବାପାଙ୍କୁ ଛଡାଇବା ପାଇଁ କାକୁତି ମୀନିତ କରୁଥିବା ଭିଡିଓ ଭାଇରାଲ ହେବା ପରେ ବୁଲନ୍ଦସହର ପୁଲିସ ବ୍ୟାକଫୁଟକୁ ଚାଲି ଆସିଥିଲା । ଏହାପରେ ଏସଏସପି ସନ୍ତୋଷ କୁମାର ସିଂ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛନ୍ତି । ଏହି ଘଟଣା କୋତବାଲି ନଗର ମୁଡାଖେଡା ରୋଡର । ବାଣ ବିକ୍ରି ବ୍ୟାନ ହୋଇଥିବା ବେଳେ ଜଣେ ବେପାରୀ ବାଣ ବିକ୍ରି କରୁଥିବାରୁ ତାଙ୍କୁ ଉଠାଇ ଆଣୁଥିଲା ପୁଲିସ । ହେଲେ ପାଖରେ ଥିବା କୁନି ଝିଅଟି ତା ବାପାଙ୍କୁ ଛାଡିଦେବାକୁ ନେହୁରା ହୋଇ ପୁଲିସ ଗାଡିରେ ମୁଣ୍ଡ ପିଟି ଥିଲା ।

ଏହା ଭ୍ୟାନର ଡ୍ରାଇଭିଂ ସିଟରେ ବସିଥିବା ପୁଲିସ କର୍ମଚାରୀ ଦେଖୁଥିଲେ, କିନ୍ତୁ କୁନି ଝିଅକୁ ବାରଣ କରିନଥିଲେ । ସେହିପରେ ଜଣେ ପୁଲିସ ଅଧିକାରୀ କୁନି ଝିଅର ହାତ ଧରି ଗାଡି ପାଖରୁ ହଟେଇ ଦେଉଥିବା ଦେଖିବାକୁ ମିଳିଛି । କୁନି ଝିଅର କାକୁତି ମିନତି ବୁଲନ୍ଦସହର ପୁଲିସର ହୃଦୟକୁ ତରଳାଇ ପାରିନଥିଲା । ବାଣ ବିକି ବେପାରୀ କିଛି ବଡ ଅପରାଧ କରିନଥିଲେ, ଯାହା କୁନି ଝିଅର ଚିକ୍ରାର ପୁଲିସର କାନକୁ ଶୁଭିନଥିଲା ।