ଅସହାୟ ମାଆର କରୁଣ କାହାଣୀ…ପୁଅ ମରିଗଲା ପରେ ବୋହୂ-ନାତି ପାଇଁ ଅଲୋଡା ହୋଇଗଲେ ବୃଦ୍ଧା…ମାଡମାରି ଘରୁ କରିଦେଲେ ବାହାର

783

କନକ ବ୍ୟୁରୋ: ପୁଅ ମରିଯିବା ପରେ ନାତି ଓ ବୋହୂ ମିଶି ଜଣେ ବୃଦ୍ଧାଙ୍କୁ ମାଡମାରି ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି । ୨୦୦୬ ମସିହାରେ ରାମମତି ସାହୁଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯିବା ପରେ ପୁଅ କିଷନ ଏକମାତ୍ର ସାହାରା ସାଜିଥିଲା । କିନ୍ତୁ ୨୦୧୬ରେ କିଷନ ମଧ୍ୟ ଏକ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଥିଲେ । ଆଉ ଏହାପରଠୁ ଅସହାୟ ହୋଇପଡିଥିବା ବୃଦ୍ଧା ମାଆ ଉପରେ ବୋହୂ ଓ ନାତି ଆରମ୍ଭ କରିଦେଇଥିଲେ ଅକଥନୀୟ ଅତ୍ୟାଚାର ।

ଏଭଳି ଘଟଣା ଘଟିଛି ହୀରାକୁଦ ସହରରେ । ବୃଦ୍ଧାଙ୍କ ପାଖରେ ଥିବା ସବୁ ସୁନା ଗହଣା ଛଡାଇ ନେଇଯିବା ସହ ତାଙ୍କୁ ମାରପିଟ କରୁଥିଲେ ବୋହୂ ଆଉ ନାତି । କେବେ କେବେ ତ ତାଙ୍କୁ ନେଇ ଅଜଣା ସ୍ଥାନରେ ଛାଡି ଆସୁଥିବା ମଧ୍ୟ କହିଛନ୍ତି ରାମମତି । ଏହାସହ ବୃଦ୍ଧାଙ୍କର ଥିବା ଅନ୍ୟ ୫ଜଣ ବିବାହିତ ଝିଅ ଘରକୁ ଆସିଲେ ମଧ୍ୟ ତାଙ୍କ ସହ ଭେଟ କରାଇଦେଉନଥିବା କହିଛନ୍ତି ରାମମତି । ଗତ ଦୀପାବଳିରେ ବୃଦ୍ଧାଙ୍କୁ ମାରପିଟ କରି ନାତି ଓ ବୋହୂ ଘରୁ ତଡି ଦେଇଛନ୍ତି । ତେବେ ବୃଦ୍ଧା ଜଣଙ୍କ ବର୍ତ୍ତମାନ ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି ।

ତେବେ ଗାଁରେ ଥିବା ଘର ବୃଦ୍ଧାଙ୍କ ସ୍ୱାମୀ ନାଁରେ ଥିଲା ବେଳେ ପୁଅର ମୃତ୍ୟୁ ପରେ ନାତି ସୂରଜ ଏହି ଜମିଟିକୁ ନିଜ ନାଁରେ କରାଇ ଟିକସ୍ ପଇଠ କରୁଛନ୍ତି । ତେଣୁ ଉକ୍ତ ଜମିକୁ ନିଜ ନାଁରେ ସଂଯୋଗ କରି ସେ ଘରେ ରହିବାକୁ ରାମମତି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହାସହ ବୋହୂ ଓ ନାତିଙ୍କ ବିରୋଧରେ ହୀରାକୁଦ ଥାନାରେ ମାରପିଟ ଅଭିଯୋଗ କରିଛନ୍ତି ।