ବାପାଙ୍କ ମୁହଁରେ ମୁଖାଗ୍ନି ଦେଲା ଝିଅ । ପୁରୁଣା ପରମ୍ପରାକୁ ପଛରେ ପକାଇ ସୃଷ୍ଟି କଲେ ନିଆରା ଉଦାହରଣ ।

66

କନକ ବ୍ୟୁରୋ: ସବୁ ବାପା-ମାଆଙ୍କ ଆଶା ଥାଏ ପୁଅଟିଏ ହେଲେ ବୁଢା ବୟସରେ ତାଙ୍କୁ ପୋଷିବ, ଆଉ ଜୀବନର ଶେଷ ସମୟରେ ତାଙ୍କ ମୁହଁରେ ମୁଖାଗ୍ନି ଦେବ । ତାଛଡା ଆମର ଏ ସମାଜ ବି ବାପା-ମାଆଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ପୁଅଙ୍କର କର୍ତ୍ତବ୍ୟ ବୋଲି ମାନିନେଇଛି । କିନ୍ତୁ ମାଲକାନଗିରି ସହର ଉପକଣ୍ଠରେ ଥିବା ପ୍ରଧାନୀଗୁଡା ଗାଁରୁ ଆସିଥିବା ଏହି ଚିତ୍ର ସମାଜକୁ ପରିବର୍ତ୍ତନର ଏକ ବାର୍ତ୍ତା ଦେଇଛି ।

ଗତ ଶନିବାର ରାତିରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ପ୍ରଧାନୀଗୁଡା ଗାଁର ସତ୍ୟ ନାରାୟଣ ନାୟକ । ସତ୍ୟ ନାରାୟଣଙ୍କ କେହି ପୁଅ ନଥିବାରୁ ମେଡିକାଲରେ ତାଙ୍କ ଯତ୍ନ ନେଉଥିଲେ ତାଙ୍କ ଝିଅ ସଂଯୁକ୍ତା । ବାପାଙ୍କ ସେବା କରିବାଠୁ ଆରମ୍ଭ କରି, ମେଡିସିନ୍ ଆଣିବା ପର୍ଯ୍ୟନ୍ତ ସବୁ କାମ କରୁଥିଲେ । ଆଉ ଭଗବାନଙ୍କ ପାଖରେ ନେହୁରା ହୋଇ ବାପାଙ୍କ ଆଶୁଆରୋଗ୍ୟ କାମନା କରୁଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ସେଦିନ ରାତିରେ ସଂଯୁକ୍ତା ତାଙ୍କ ବାପାଙ୍କୁ ସବୁଦିନ ପାଇଁ ହରାଇବସିଲେ । ସମ୍ପର୍କୀୟଙ୍କ ସହାୟତାରେ ଗାଁକୁ ଶବ ଅଣାଗଲା ସତ କିନ୍ତୁ ଅନ୍ତିମ କ୍ରିୟା କର୍ମ ପାଇଁ କେହି ଆଗକୁ ଆସିଲେନି । ମୃତ ଶରୀର ମୁହଁରେ ନିଆଁ ଟିକେ ଦେବାପାଇଁ ବି କେହି ରାଜି ହେଲେନାହିଁ । ଆଉ ଏହି ସମୟରେ ସମାଜର ସବୁ ବାଧାବିଘ୍ନର ବାଡକୁ ଡେଇଁ ବାପାଙ୍କ ମୁହଁରେ ମୁଖାଗ୍ନି ଦେଲେ ସଂଯୁକ୍ତା । ନିତି ଅନୁଯାୟୀ ସବୁ କ୍ରିୟା-କର୍ମ କରିବା ସହ ପୁଅର କର୍ତ୍ତବ୍ୟ ତୁଲାଇଲେ । ଆଉ ପୁଅ ନଥିଲେ କୌଣସି କାମ ଅଟକିଯିବନି ବୋଲି, ସମାଜକୁ ପରିବର୍ତ୍ତନର ଏକ ବଡ ବାର୍ତ୍ତା ଦେଲେ ।