ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ମିଳିଲାନି ବେଡ୍ କି ଅକ୍ସିଜେନ୍ । ଆଖି ଆଗରେ ମା’ର ମୃତ୍ୟୁ ଦେଖି ସାନିଟାଇଜର ପିଇ ଆତ୍ମହତ୍ୟା କରିଦେଲା ଝିଅ ।

140

କନକ ବ୍ୟୁରୋ : କରୋନା, ଦିନେ ଏମିତି ବି କଷ୍ଟର କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଏହାରି ଭିତରେ ଅନେକ ହୃଦୟ ବିଦାରକ ଘଟଣା ବି ସାମ୍ନାକୁ ଆସୁଛି । ପ୍ରତିଦିନ ଏଭଳି ଘଟଣାମାନ ଦେଖି ମନ ଏକ ପ୍ରକାର ବିଚଳିତ ହୋଇପଡ଼ୁଛି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ନାସିକରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ କି ଅକ୍ସିଜେନ ନମିଳିବାରୁ ଝିଅ ସାନିଟାଇଜର ପିଇ ଆତ୍ମହତ୍ୟା କରିଛି । ମୃତ ଯୁବତୀଙ୍କ ନାମ ଶିବାନୀ ବୋଲି ଜଣାପଡ଼ିଛି ।

ଶିବାନୀ ନାସିକର ଦିଣ୍ଡୋରି ତହସିଲ ଅନ୍ତର୍ଗତ ଆଶେ ଗାଁରେ ତାଙ୍କ ପରିବାର ସହିତ ବସବାସ କରନ୍ତି । ହଠାତ ତାଙ୍କ ମା’ଙ୍କ ଶରୀର ଅସୁସ୍ଥ ହୋଇପଡ଼ିବା ସହିତ ନିଶ୍ବାସ ନେବାରେ ବି ଅସୁବିଧା ହୋଇଥିଲା । ତେଣୁ ସେ ମା’ଙ୍କୁ ଚିକିତ୍ସା ପାଇଁ ନାସିକ ରୋଡ ସ୍ଥିତ ବେଟକୋ କୋଭିଡ ସେଣ୍ଟରକୁ ଆଣିଥିଲେ । କିନ୍ତୁ ଶିବାନୀଙ୍କ ମା’ଙ୍କୁ ସେଠାରେ ଚିକିତ୍ସା ପାଇଁ ବେଡ କି ଅକ୍ସିଜେନ ମିଳିନଥିଲା । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ତାଙ୍କ ମା’ଙ୍କ ପ୍ରାଣାବୟୁ ଉଡି ଯାଇଥିଲା । ଏହି ଦୁଃଖକୁ ଶିବାନୀ ସହି ନପାରି ହସ୍ପିଟାଲ ପରିସରରେ ସାନିଟାଇଜର ପିଇ ଆତ୍ମହତ୍ୟା କରିଥିଲେ ।