ଦରବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଲେ ଆରଏସଏସ ମହାସଚିବ । ସରକାରଙ୍କ ଉର୍ଦ୍ଦେଶ୍ୟରେ କହିଲେ ଏଭଳି କଥା

172

କନକ ବ୍ୟୁରୋ : ଦେଶରେ ଯେଭଳି ଭାବେ ପ୍ରତ୍ୟେକ ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ହୋଇଚାଲିଛି ତାହାକୁ ନେଇ ସାଧାରଣ ଲୋକ ଅଣ ନିଶ୍ୱାସୀ ହୋଇପଡିଛନ୍ତି । ଏନେଇ ବିରୋଧୀଦଳମାନେ ସରକାରଙ୍କୁ ବାରମ୍ବାର ଘେରୁଥିବା ବେଳେ ଦରବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ବା ଆରଏସଏସର ମହାସଚିବ ଦତ୍ରାତ୍ତେୟ ହୋସବାଲେ । ଶନିବାର ଦିନ ସେ ଦେଶର ବଢୁଥିବା ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ସରକାର ଗମ୍ଭୀରତାର ସହ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି ଲୋକେ ଚାହୁଁଛନ୍ତି ଖାଦ୍ୟ ପଦାର୍ଥ, କପଡା ଓ ଘରର ଦାମ କମ୍ ହେବା ଆବଶ୍ୟକ । ଏହା ମୌଳିକ ଆବଶ୍ୟକତା ହୋଇଥିବାରୁ ସରକାର ଏହା ଉପରେ ଗମ୍ଭୀରତାର ସହ ଚିନ୍ତା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେପଟେ ହୋସବାଲେ କୃଷି କ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିଥିବାରୁ ସମସ୍ତ ସରକାରଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି କି ଶସ୍ତା ମୂଲ୍ୟରେ ସମସ୍ତଙ୍କ ପାଇଁ ଅତ୍ୟାବଶକୀୟ ସାମଗ୍ରୀ ଉପଲବ୍ଧି କରାଇବା ସରକାରଙ୍କ ଦାୟୀତ୍ୱ । ଏହାସହ କୃଷକମାନଙ୍କ ଉପରେ ସରକାର କୌଣସି ବୋଝ ପକାଇବା ଅନୁଚିତ ବୋଲି ସେ କହିଛନ୍ତି । ଆରଏସଏସ ଅନୁବନ୍ଧିତ ଭାରତୀୟ କିଷାନ ସଂଘ, ଭାରତୀୟ କୃଷି ଗବେଷଣା ପରିଷଦ ଓ ଭାରତୀୟ କୃଷି ଅର୍ଥନୈତିକ ଗବେଷଣା କେନ୍ଦ୍ର ଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଥିବା ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଏଭଳି କହିଛନ୍ତି ।

ସେପଟେ କୃଷି କ୍ଷେତ୍ରରେ ବିକାଶକୁ ନେଇ ହୋସବାଲେ କହିଛନ୍ତି କି ୭୫ ବର୍ଷ ମଧ୍ୟରେ ଦେଶରେ ହୋଇଥିବା କୃଷି ବିକାଶ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଭାରତ ଏବେ ବିଶ୍ୱର ମୁଖ୍ୟ ଖାଦ୍ୟ ଉତ୍ପାଦନକାରୀ ଦେଶ ଭାବେ ପରିଗଣିତ ହେଉଛି ।