କିଏ ଦଖଲ କରିବ ହିମାଚଳପ୍ରଦେଶ ! ଆରମ୍ଭ ହେଲା କାଉଣ୍ଟଡାଉନ, ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

42

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଲା । ଆଜି ମୁଖ୍ୟ ନିର୍ବାଚନ କମିଶନ ଏ.କେ. ଜୋଟି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆଗାମୀ ନଭେମ୍ବର ୯ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଅକ୍ଟୋବର ୧୬ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଡିସେମ୍ବର ୧୮ରେ ଭୋଟ ଗଣତି କରାଯିବ । ଏଥିପାଇଁ ଆଜିଠାରୁ ଆଚରଣ ସଂହିତା ଲାଗୁ କରାଯିବ ବୋଲି କମିଶନ ଘୋଷଣା କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ଇଭିଏମ ବଦଳରେ ଭିଭିପିଏଟି ମେସିନର ବ୍ୟବହାର କରାଯିବ । ମୋଟ ୭,୫୨୧ଟି ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରାଯିବ । ଏହାଛଡା ସମସ୍ତ ମତଦାନ କେନ୍ଦ୍ର ଗ୍ରାଉଣ୍ଡ ଫ୍ଲୋରରେ ରହିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ଏହାଛଡା ମତଦାନ ସମୟରେ ଫଟୋ ଭୋଟର ଆଇଡିର ବ୍ୟବହାର ହେବ । ନିର୍ବାଚନ ପ୍ରଚାରର ସମସ୍ତ ରାଲିର ଭିଡିଓଗ୍ରାଫି କରାଯିବ ବୋଲି କମିଶନର କହିଛନ୍ତି । ସେହିଭଳି ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସର୍ବମୋଟ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ସ୍ଥିର କରିଛନ୍ତି । ତେବେ ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଆଜି କୌଣସି ତାରିଖ ଘୋଷଣା କରିନାହାନ୍ତି ମୁଖ୍ୟ ନିର୍ବାଚନ କମିଶନର । ଏବେ ହିମାଚଳ ପ୍ରଦେଶରେ ବୀରଭଦ୍ର ସିଂଙ୍କ ନେତ୍ତୃତ୍ୱାଧୀନ କଂଗ୍ରେସ ସରକାର ଶାସନ କରୁଛି ।