ମେ’ ୨୦ରେ ଓଡିଶାରେ ହେବ ନିଟ୍ ପରୀକ୍ଷା । ବାତ୍ୟା ପାଇଁ ଘୁଞ୍ଚିଥିଲା ପରୀକ୍ଷା

237

କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ହେବ ଓଡିଶାରେ ନିଟ୍ ପରୀକ୍ଷା । ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଗତକାଲି ଓଡିଶାରେ ହେବାକୁ ଥିବା ନିଟ୍ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ଡାକ୍ତରୀ ପାଠ୍ୟକ୍ରମ ପାଇଁ ସର୍ବଭାରତୀୟ ସ୍ତରରେ ଗତକାଲି ନିଟ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡିଶାରେ ବାତ୍ୟା ଫୋନି ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ଫୋନି ଯୋଗୁଁ ରାଜ୍ୟରେ ବହୁ ଧନଜୀବନ ନଷ୍ଟ ହେବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିଲା ।ଫୋନି ତାଣ୍ଡବ ରଚିବା ପରେ ପୁରୀ ସମେତ ଭୁବନେଶ୍ୱର,କଟକ,ଜଗତସିଂହପୁର,କେନ୍ଦ୍ରାପଡାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପରିକି କିଛି ସ୍ଥାନରେ ରାସ୍ତା ଉପରେ ଗଛ ପଡି ରହିଥିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ମଧ୍ୟ ହୋଇଥିଲା । ଏହାଛଡା ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିବାରୁ ପୁରୀ ଓ ଭୁବନେଶ୍ୱର ଗତ ୨ ଦିନ ହେବ ପୂରା ଅନ୍ଧାରରେ ରହିଛି । ଏଭଳି ସ୍ଥିତିରେ ନିଟ୍ ପରୀକ୍ଷା ଆୟୋଜନ କରିବା ନେଇ ଆଶଙ୍କା ଦେଖା ଦେଇଥିଲା । ତେଣୁ ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାର ଅନୁରୋଧ କରିବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । କାରଣ ଅଧିକାଂଶ ଛାତ୍ରଙ୍କର ସେଣ୍ଟର ଭୁବନେଶ୍ୱରରେ ପଡିଥିବାରୁ ନିଟ୍ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଇଥିଲା ।