ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ । ପ୍ରଦୀପଙ୍କ ଦେହାନ୍ତ ପରେ ଫାଙ୍କା ପଡିଛି ପିପିଲି ଆସନ, ଜାଣନ୍ତୁ ଟିକେଟ ରେସରେ ଅଛନ୍ତି କିଏ?

247

କନକ ବ୍ୟୁରୋ : ପିପିଲି ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ । ଏନେଇ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୩ ରହିଛି । ଏପ୍ରିଲ ୧୭ରେ ମତଦାନ ହେବାକୁ ଥିବା ବେଳେ ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଫାଙ୍କା ପଡିଛି । ଆସନ୍ତା ୧୭ରେ ଏଠାରେ ନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଛି ।

ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ପିପିଲି ରାଜନୀତିର ପାରା ଉପରକୁ ଚଢିଛି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଖାସକରି ବିଜେଡି ଓ ବିଜେପିରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ବିଜେଡିର ଗଡ ରହି ଆସିଥିବା ପିପିଲି ଆସନରୁ ଲଗାତାର ବାଜି ମାରି ଆସୁଥିଲେ ପ୍ରଦୀପ ମହାରଥୀ । ତେବେ ପ୍ରଦୀପଙ୍କ ଦେହାନ୍ତ ପରେ ପିପିଲିରୁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଏଯାଏଁ ସସପେନ୍ସ ଲାଗି ରହିଛି । ପତ୍ନୀ ପ୍ରତିଭା ମହାରଥୀ ନା ପୁଅ ରୁଦ୍ର ମହାରଥୀ, କାହା ନାଁରେ ଦଳ ମୋହର ମାରିବ ସେନେଇ କୌଣସି ସ୍ପଷ୍ଟ ସଂକେତ ମିଳିପାରିନାହିଁ । ଏପରିକି ସବୁବେଳେ ଆଶ୍ଚର୍ଯ୍ୟ କଲାଭଳି ନିଷ୍ପତି ନେଉଥିବା ନବୀନ ପିପିଲି ପାଇଁ କାହାକୁ ବାଛିବେ ତାହା ମଧ୍ୟ କହିବା ମୁସ୍କିଲ । ମହାରଥୀ ପରିବାରରୁ କାହାକୁ ଟିକେଟ ମିଳିବ ନା ନୂଆ ଚେହେରାକୁ ପିପିଲି ମୈଦାନକୁ ବିଜେଡି ଓହ୍ଲାଇବ ତାହା ଦେଖିବା ବାକି ରହିଲା । ତେବେ ତାରିଖ ଘୋଷଣା ପୂର୍ବରୁ ପିପିଲି ପାଇଁ ଋଣନୀତି ପ୍ରସ୍ତୁତ କରୁଛି ବିଜେଡି । ପିପିଲି ପାଇଁ ପ୍ରତାପଙ୍କ ଭଳି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇ ଏହି ଲଢେଇରେ ଗୋଟିଏ ପାଦ ଆଗରେ ରହିଛି ବିଜେଡି । ଏହାଛଡା ପିପିଲି ଆସନ ବିଜେଡିର ଗଡ ହୋଇଥିବା ବେଳେ ଏହାକୁ ହାତଛଡା କରିବାକୁ ଚାହିଁବ ନାହିଁ ଦଳ ।

ଅନ୍ୟପଟେ ବିଜେପିର ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇପାରନ୍ତି ଆଶ୍ରିତ ପଟ୍ଟନାୟକ । ୨୦୧୯ରେ ଆଶ୍ରିତ ବିଜେପିର ପ୍ରାର୍ଥୀ ହେବା ସହ ପ୍ରଦୀପଙ୍କୁ କଡା ଟକ୍କର ଦେଇଥିଲେ । ୭୦ ହଜାରରୁ ଅଧିକ ଭୋଟ ହାତେଇବା ସହ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଥିଲେ । ତେଣୁ ପ୍ରଦୀପଙ୍କ ଦେହାନ୍ତ ପରେ ପିପିଲି ଆସନ ହାତେଇବାକୁ ଆଶ୍ରିତଙ୍କ ଉପରେ ଭରସା କରିପାରେ ବିଜେପି । ଏପରିକି ପିପିଲିର ବିଭିନ୍ନ ଅଞ୍ଚଳରେ ଆଶ୍ରିତ କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଳିଛି । ସେହିଭଳି କଂଗ୍ରେସ ପକ୍ଷରୁୂ କାହାକୁ ଟିକେଟ ମିଳିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ୨୦୧୯ ନିର୍ବାଚନରେ ନ ଲଢିବା କଂଗ୍ରେସକୁ ପିପିଲି ଆସନରେ ବ୍ୟାକଫୁଟକୁ ଠେଲି ଦେଇଛି । ତେଣୁ ୨୦୧୯ରେ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ନା ଦଳ ଆଉ କାହା ଉପରେ ଭରସା କରିବ ତାହା ଉପରେ ସମସ୍ତଙ୍କର ନଜର ରହିବ । ଏସବୁ ସମୀକରଣ ଭିତରେ ପିପିଲିରେ ବିଜେଡି-ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ ।