ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା? ଜାଣନ୍ତୁ କେବେ ହେବ କେଉଁ ନିର୍ବାଚନ?

347

କନକ ବ୍ୟୁରୋ : ଘୋଷଣା ହୋଇଛି ପଞ୍ଚାୟତ ନିର୍ବାଚନ ତାରିଖ । ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ଚଳିତଥର ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ହେବ । ଆସନ୍ତା ଫେବ୍ରୁଆରୀ ୧୬ରୁ ପଞ୍ଚାୟତ ଫାଇଟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ସେହିଭଳି ଫେବ୍ରୁଆରୀ ୨୪ରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହେବ । ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ ।

ଭୋଟ ଫଳାଫଳ ପ୍ରକାଶ ପାଇବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ଆସନ ପାଇଁ ଲଢେଇ ହେବ । ନିର୍ବାଚିତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରେ ଏହି ପଦ ପାଇଁ ଲଢେଇ ହେବ । ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଆସନ୍ତା ୧୨ ମାର୍ଚ୍ଚରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସେହିଭଳି ୨୩ ମାର୍ଚ୍ଚରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଅନ୍ୟପଟେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୧୩ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିବା ବେଳେ, ୨୫ ମାର୍ଚ୍ଚରେ ଜିଲ୍ଲା ପରିଷଦ ଉପସଭାପତି ପାଇଁ ନିର୍ବାଚନ ହେବ । ସେହିଭଳି ୧୧ ମାର୍ଚ୍ଚରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଖାସକରି ଚଳିତ ପଞ୍ଚାୟତ ନିର୍ବାଚନ ବିନା ରାଲି ଓ ବିନା ରୋଡ ସୋ’ରେ ହେବ । କରୋନା କାରଣରୁ କୌଣସି ରାଲିକୁ ଅନୁମତି ମିଳିବ ନାହିଁ । ସେହିଭଳି ରୋଡ ସୋ ଉପରେ ରୋକ ଲଗାଯାଇଥିବା ବେଳେ କେବଳ ୫ ଜଣଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ ।

ଚଳିତ ପଞ୍ଚାୟତ ନିର୍ବାଚନରେ ୯୧,୯୧୩ ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ୬୭୯୪ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ, ୬୭୯୩ ପଞ୍ଚାୟତ ସମିତି ପାଇଁ, ୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ଏହି ୮୫୩ ଜିଲ୍ଲା ପରିଷଦରୁ ୪୩୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ମତଦାନ କରିବେ । କୋଭିଡ କାରଣରୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଭୋଟଗ୍ରହଣ କରାଯିବ ।