ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ ।  ଜାଣନ୍ତୁ କେବେ ହେବ ଭୋଟଗ୍ରହଣ ଓ କେବେ ପ୍ରକାଶ ପାଇବ ଫଳାଫଳ?

2,048

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଆସନ୍ତା ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ ତାରିଖରେ ନିର୍ବାଚନ ହେବ । ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଖାସକରି ଚଳିତ ପଞ୍ଚାୟତ ନିର୍ବାଚନ ବିନା ରାଲି ଓ ବିନା ରୋଡ ସୋ’ରେ ହେବ । କରୋନା କାରଣରୁ କୌଣସି ରାଲିକୁ ଅନୁମତି ମିଳିବ ନାହିଁ । ସେହିଭଳି ରୋଡ ସୋ ଉପରେ ରୋକ ଲଗାଯାଇଥିବା ବେଳେ କେବଳ ୫ ଜଣଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ ।

ଚଳିତ ପଞ୍ଚାୟତ ନିର୍ବାଚନରେ  ୯୧,୯୧୩ ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ୬୭୯୪ ପଞ୍ଚାୟତରେ ସରପଞ୍ଚ  ପଦ ପାଇଁ, ୬୭୯୩ ପଞ୍ଚାୟତ ସମିତି ପାଇଁ,  ୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ଏହି ୮୫୩ ଜିଲ୍ଲା ପରିଷଦରୁ ୪୩୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ମତଦାନ କରିବେ । କୋଭିଡ କାରଣରୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଭୋଟଗ୍ରହଣ କରାଯିବ ।