କନକ ବ୍ୟୁରୋ : ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖିଛି ବାଲେଶ୍ୱର ପୋଲିସ । ଡିଆରଡିଓ ପରିସରରେ ଠିକା କାମ କରୁଥିବା ଏହି କର୍ମଚାରୀଙ୍କୁ  ବାଲେଶ୍ୱର ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ତେବେ କେଉଁ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ପୋଲିସ ଅଟକ ରଖିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରତିରକ୍ଷା ସମ୍ପର୍କିତ କିଛି ଗୁପ୍ତତଥ୍ୟ ସନ୍ଦିଗ୍ଧମାନେ ପ୍ରଘଟ କରୁଥିବା ସୂଚନା ମିଳିବା ପରେ ଆଇଜିଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ସେମାନଙ୍କୁ ଉଠାଯାଇଥିବା ଚର୍ଚା ହେଉଛି।

Advertisment

ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ  ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟିମ୍ ଗଠନ ହୋଇଥିଲା  । ଯେଉଁଥିରେ ୬ ଆଇ ଆଇ ସି ଓ ୬ ଡିଏସପି ରହିଥିଲେ । ପ୍ରାୟ ତିନିଦିନ ଧରି ତନା ଘନା ଜାରି ରଖିଥିଲା ପୋଲିସ । ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇ ଏସ ଆଇ କୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଗିରଫ କରାଯାଇଥିବା ବେଳେ ଈଶ୍ୱର ବର୍ତମାନ ଆଜୀବନ ସଜା ଭୋଗୁଛି ।

ଅଟକ ୫ ସନ୍ଦିଗ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ବିଭିନ୍ନ ତଥ୍ୟ ପ୍ରଘଟ କରିଥିବା କୁହାଯାଉଛି । ତେବେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ କେଉଁ ମାନଙ୍କ ସମୃକ୍ତି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଅଟକ ୫ଜଣ ଡିଆରଡିଓରେ ଏସି ଅପରେଟର ସହ ଜେନେରେଟର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଏମାନେ ବିଦେଶୀ ସଂସ୍ଥା ସହ ଫୋନ୍ କଲ ମାଧ୍ୟମରେ କଥା ହୋଇଥିବା ସନ୍ଦେହ କରାଯାଉଛି ଏହାସହ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ସହ ୩ମାନଙ୍କ ସଂପର୍କରେ ରହିଥିବା ସୁରାକ ମିଳିଥିବା ଚର୍ଚ୍ଚା ହେଉଛି । ତେବେ ଏମାନଙ୍କ ମାଧ୍ୟମରେ କିଏ ଓ କେଉଁ ତଥ୍ୟ ହାସଲ କରିଛି ସେନେଇ ତଦନ୍ତ ଜାରି ରହିଛି । ଏପରିକି ଏହି କର୍ମଚାରୀ ମାନେ କେତେବର୍ଷ କାମ କରୁଥିଲେ, କାହା ମାଧ୍ୟମରେ ଆସିଥିଲେ ସେନେଇ ତନାଘନା ଜାରି ରହିଛି ।