କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ରାଫେଲ ଚୁକ୍ତି । ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ସାଢେ ୮କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଫ୍ରାନ୍ସ ପବ୍ଲିକେଶନରେ ପ୍ରକାଶ ପାଇଛି ଏଭଳି ରିପୋର୍ଟ । ୨୦୧୬ରେ ଭାରତ ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ବିମାନ ପାଇଁ ୫୮ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା ।
୨୦୧୬ରେ ଭାରତକୁ ୩୬ଟି ରାଫେଲ ବିମାନ ଯୋଗାଇ ଦେବା ପାଇଁ ଫ୍ରାନ୍ସ ସହ ୫୮ହଜାର କୋଟି ଟଙ୍କାର ଡିଲ୍ ହୋଇଥିଲା । ଏହି ଚୁକ୍ତିରେ ଜଣେ ମଧ୍ୟସ୍ଥିକୁ ସାଢେ ୮କୋଟି ଟଙ୍କା ଦିଆଯାଇଥିବା ନେଇ ଅଭିଯୋଗ ଉଠିବା ପରେ ରାଫେଲ ଚୁକ୍ତିକୁ ନେଇ ପ୍ରଶ୍ନ ଉଠିଛି ।
ଫ୍ରାନ୍ସ ପବ୍ଲିକେସନ ମିଡିଆପାର୍ଟ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଭାରତ ଫ୍ରାନ୍ସ ରାଫେଲ ଚୁକ୍ତି ପାଇଁ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ୧ମିଲିୟନ ୟୁରୋ ପ୍ରଦାନ କରିଥିଲା । ୨୦୧୭ରେ ଡାସଲ୍ଟ ଗ୍ରୁପ ଆକାଉଂଟରୁ ୫ଲକ୍ଷ ୮ହଜାର ୯୨୫ୟୁରୋ ‘ଗିଫ୍ଟସ ଟୁ କ୍ଲାଏଂଟସ’ ନାଁରେ ଟ୍ରାନ୍ସଫର ହୋଇଥିଲା । ଫ୍ରାନ୍ସର ଆଣ୍ଟି କରପସନ ଏଜେନ୍ସି ଏଏଫଏ ଡାସଲ୍ଟ କମ୍ପାନୀର ଅଡିଟ କରିବା ବେଳେ ଏହି ଘଟଣାର ଖୁଲାସା ହୋଇଛି । ସେପଟେ ଡାସଲ୍ଟ ପକ୍ଷରୁ ସଫେଇ ଦେଇ କୁହାଯାଇଛି ଯେ, ଟଙ୍କାର ବ୍ୟବହାର ରାଫେଲର ୫୦ଟି ଲଢୁଆ ବିମାନର ବୃହତକାୟ ରେପ୍ଲିକା ତିଆରି କରିବା ପାଇଁ ହୋଇଥିଲା । କିନ୍ତୁ ପ୍ରକୃତରେ ସେମିତି କିଛି ମଡେଲ ପ୍ରସ୍ତୁତ ହୋଇନଥିବା ଜଣାପଡିଛି । ଏପରିକି ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏଜେନ୍ସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଅଯାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି । ଡେଫସିସ ସଲ୍ୟୁସନ୍ସ ନାମକ ଏକ ଭାରତୀୟ କମ୍ପାନୀର ଇନଭଏସ ପ୍ରୋଫର୍ମା ଦ୍ୱାରା ଡାସଲ୍ଟ ଏହି ଉପହାରକୁ ବ୍ୟୟ ଭାବେ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିବା ମିଡିଆପାର୍ଟ ରିପୋର୍ଟରେ ଜଣାପଡିଛି ।
ମିଡିଆପାର୍ଟ ରିପୋର୍ଟ ଅନୁସାରେ ଡେଫସିସ ସଲ୍ୟୁସନ୍ସ ହେଉଛି ଗୁପ୍ତା ପରିବାରର । ପ୍ରାୟ ୩ ପୀଢୀ ଧରି ଏହି ପରିବାରର ସଦସ୍ୟମାନେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଛନ୍ତି । ଏହି ପରିବାରର ସଦସ୍ୟ ସୁଶେନ ଗୁପ୍ତା ଏହି ଚୁକ୍ତିରେ ମଧ୍ୟସ୍ଥି ଥିବା ସୂଚନା ମିଳିଛି । ଏପରିକି ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର ସ୍କାମରେ ମଧ୍ୟ ଗୁପ୍ତା ପରିବାର ସଦସ୍ୟଙ୍କୁ ସମ୍ପୃକ୍ତିର ଯାଂଚ ହେଉଛି ।
ସେପଟେ ରାଫେଲ ଚୁକ୍ତି ନେଇ ପୂର୍ବରୁ ପ୍ରଶ୍ନ କରୁଥିବା କଂଗ୍ରେସ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଛି । ପ୍ରଧାନମନ୍ତ୍ରୀ ମୋଦୀ ଏବେ ଉତର ରଖିବେ ନାଁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା । ୨୦୧୬ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ଲଢୁଆ ବିମାନ ପାଇଁ ୫୮ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ଭାରତକୁ ଏପର୍ଯ୍ୟନ୍ତ ୧୨ଟି ବିମାନ ମିଳିସାରିଛି ।