କନକ ବ୍ୟୁରୋ: ଏଣିିକି ରେଳରେ ଯାଇ ହେବ ଦଶପଲ୍ଲା । ରାଜଧାନୀ, ପୁରୀ ଓ ଭଦ୍ରକ ସହ ଯୋଡି ହେବ ଦଶପଲ୍ଲା । ଆଜି ଦଶପଲ୍ଲା ଷ୍ଟେସନର ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ।
ଦଶପଲ୍ଲାକୁ ନିୟମିତ ରେଳ ଚଳାଚଳ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରିବ । ଏହି ଟ୍ରେନ ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେ ପହଂଚିବ । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ପୁରୀରୁ ସଂଧ୍ୟା ୬ଟାରେ ବାହାରି ପୂର୍ବ ନିର୍ଘଣ୍ଟ ଅନୁସାରେ ଦଶପଲ୍ଲାରେ ରାତି ୧୦ଟା ୧୫ରେ ପହଞ୍ଚିବ । ଦଶପଲ୍ଲାରୁ ଭୁବନେଶ୍ୱରକୁ ଯିବାକୁ ଥିବା ଟ୍ରେନ ଦଶପଲ୍ଲାରୁ ସକାଳ ୬ଟା ୧୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ଟାରେ ପହଂଚିବ । ଏହି ଟ୍ରେନ ସଂପ୍ରସାରଣ ହେବା ଦ୍ୱାରା ଦଶପଲ୍ଲା ସହିତ ଯୋଡି ହୋଇଥିବା ଅନେକ ଉପାନ୍ତ ଅଂଚଳର ଲୋକମାନେ ଉପକୃତ ହେବେ । ଅଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ଗତି ପ୍ରଦାନ କରିବ ।
ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଆଧୁନିକୀକରଣ କାମର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ କାମ ହେଉଛି, ଖୁବଶୀଘ୍ର ଶେଷ ହେବ । ୨୦୧୪ ପୂର୍ବରୁ ରାଜ୍ୟରେ ବର୍ଷକୁ ୫୦ କିଲୋମିଟର ନୂଆ ରେଳପଥ ନିର୍ମାଣ ହେଉଥିଲା । ଏବେ ବର୍ଷକୁ ୪୫୦ କିଲୋମିଟର ରେଳପଥ ନିର୍ମାଣ ହେଉଛି । ଦେଶରେ ଏବେ ୫୭ଟି ବିଶ୍ୱସ୍ତରୀୟ ରେଳ ଷ୍ଟେସନ ନିର୍ମାଣ ହେଉଛି । ସେହି ଆଧାରରେ ଭୁବନେଶ୍ୱର ଷ୍ଟେସନକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି । ବନ୍ଦେ ଭାରତ, ଅମୃତ ଭାରତ ପରେ ଓଡିଶାକୁ ବନ୍ଦେ ମେଟ୍ରୋ ମିଳିବ ବୋଲି ସେ କହିଛନ୍ତି ।