ଅଣସର ଘରେ ରହି ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି : ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହେବ ଦଶମୂଳ ମୋଦକ

Advertisment
ଅଣସର ଘରେ ରହି ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି : ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହେବ ଦଶମୂଳ ମୋଦକ

କନକ ବ୍ୟୁରୋ : ଅଣସର ଘରେ ରହି ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା । ନୀଳାଦିଅ ମହୋଦୟ ଶାସ୍ତ୍ର ଅନୁସାରେ ଦିତା ସେବକ, ସୁନା ଗୋସେଇଁ ସେବକମାନେ ଅଣସରକାଳୀନ ଏହି ଗୁପ୍ତନୀତି ସଂପାଦନ କରୁଛନ୍ତି । ଏକବସ୍ତ୍ର ହୋଇ ଅଣସର ବାସଠାରୁ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି । ଦୈନନ୍ଦିନ ଚକଟା ଭୋଗ ଓ ଅନ୍ୟାନ୍ୟ ନୀତି ସଂପାଦନ କରୁଛନ୍ତି । ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ଯୋଗାଇ ଦିଆଯାଉଛି ।

ଏକାଦଶୀ ତିଥି ଅର୍ଥାତ୍ ଆଜି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି । ସ୍ନାନପୂର୍ଣିମା ପରେ ଅସୁସ୍ଥ ଶ୍ରୀଜିଉମାନଙ୍କ ଆରୋଗ୍ୟ ଲାଗି ଶ୍ରୀମନ୍ଦିର ବୈଦ୍ୟମାନେ ପ୍ରଭୁଙ୍କ ଲାଗି ହେବାକୁ ଥିବା ଏହି ଦଶମୂଳକୁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିବାରେ ସପରିବାର ନିୟୋଜିତ ଥିଲେ । ଔଷଧ ତିଆରି ପୂର୍ବରୁ ବୈଦ୍ୟମାନେ ଚେରମୂଳ ସଂଗ୍ରହରେ ଗତ କିଛି ଦିନ ଧରି ବ୍ୟସ୍ତ ଥିଲେ । ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧୀ ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି ।

କବିରାଜମାନଙ୍କ କହିବା ମୁତାବକ, ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆ ସର, ଭାଙ୍ଗ ଆଦି ପ୍ରକୃତିର ଉତ୍ପାଦ ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ଔଷଧୀ ପ୍ରସ୍ତୁତ ହୋଇଛି । ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୁତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଛି । ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଛି। ବିଭିନ୍ନ ଭକ୍ତ ଓ କିଛି ଆୟୁର୍ବେଦ ଔଷଧ ଦୋକାନରୁ ଏହି ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଛନ୍ତି । ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe