ମକର ପାଇଁ ଲାଗିଲା ଏକାଧିକ କଟକଣା । ବନ୍ଦ ରହିବ ଘଟଗାଁ ତାରିଣୀଙ୍କ ଦର୍ଶନ, କାଳିଯାଇ ପୀଠକୁ ଯାଇପାରିବେନି ଭକ୍ତ ।

132

କନକ ବ୍ୟୁରୋ : କାଲି ପବିତ୍ର ମକର ସଂକ୍ରାନ୍ତି । ଓଡିଆଙ୍କର ଏକ ବଡ ପର୍ବ । ପ୍ରାୟ ସବୁ ବର୍ଷ ଏହି ପର୍ବକୁ ବେଶ୍ ଧୂମଧାମରେ ପାଳନ କରନ୍ତି ଓଡିଆ । ଲୋକମାନେ ବିଭିନ୍ନ ଦେବ ସ୍ଥାନକୁ ଯିବା ସହ ପିକନିକ ଓ ବଣଭୋଜି କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଘଟଗାଁ ତାରିଣୀ ସମେତ ଏକାଧିକ ପୀଠରେ କଟକଣା ଲାଗୁ ହୋଇଛି । ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ସମୁଦ୍ର ବେଳାଭୂମିରେ କଟକଣା ଲାଗୁ ହୋଇଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର, ସୋନପୁର ସମେତ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମି ବନ୍ଦ ରହିବ ।

ମକରରେ ମା’ ତାରିଣୀଙ୍କ ଦର୍ଶନ ମନା । ଭକ୍ତଙ୍କ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ମକର ସଂକ୍ରାନ୍ତିରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଘଟଗାଁ ପୀଠକୁ ଧାଇଁ ଆସିଥାନ୍ତି । କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡୁଥିବାରୁ ଓ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳି ହେବାର ଆଶଙ୍କା ଥିବାରୁ, ମନ୍ଦିରରେ ଭକ୍ତଙ୍କ ପାଇଁ ମାଙ୍କ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ । ଅର୍ଥାତ ୧୪ତାରିଖରେ ମନ୍ଦିର ପରିସରକୁ କୌଣସି ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । କରୋନା କଟକଣା ଭିତରେ ଏବେ ବିନା ଭୋଗରେ ଭକ୍ତଙ୍କ ଦର୍ଶନ ଜାରି ରହିଛି । କିନ୍ତୁ ମକର ସଂକ୍ରାନ୍ତିରେ ଏହାକୁ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି ପ୍ରଶାସନ । ତେବେ ପ୍ରତ୍ୟକ ଦିନ ମାଙ୍କ ବେଶ ଓ ନୀତିକାନ୍ତି ଯଥାରୀତିରେ ସମ୍ପାଦାନ ହେବ ।

ଅଟ୍ରିରେ ୧୪୪ ଧାରା ଲାଗୁ । ମାନସିକ କୁଣ୍ଡରେ ବୁଡ ପକାଇବା ମନା । ଖୋର୍ଦ୍ଧାର ପ୍ରସିଦ୍ଧ ଅଟ୍ରିରେ ଏଥର ମକର ସଂକ୍ରାନ୍ତି ମଧ୍ୟ ଫିକା ପଡିବ । ଏଥର ମକର ମେଳା ବନ୍ଦ ହେବା ସହ ମାନସିକ କୁଣ୍ଡରେ ବୁଡ ପକାଇବାକୁ ଲୋକଙ୍କୁ ବାରଣ କରାଯାଇଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । ଏଥିସହ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସବଡିଭିଜନର ସମସ୍ତ ସଚିବାଳୟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।

କାଳିଜାଇ ପୀଠରେ ଲାଗିଲା କଟକଣା । ନରସିଂହପୁର ସିଂହନାଥ ଦେବ ପୀଠରେ ୧୪୪ ଧାରା । ମକର ଦିନରେ କାଳିଜାଇରେ ଭିଡ ଜମେ । ଲୋକମାନେ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ମା କାଳିଜାଇଙ୍କ ଦର୍ଶନ କରିଥାନ୍ତି । ହେଲେ ଏଥର ଏସବୁ ମନା । ସଂକ୍ରମଣ ବଢ଼ୁଥିବାରୁ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇ ପୀଠକୁ ବନ୍ଦ ଘୋଷଣା କରାଯାଇଛି । ପର୍ଯ୍ୟଟକ ମାନଙ୍କୁ ପାରି ନକରିବା ପାଇଁ ଡ଼ଙ୍ଗା ଚାଳକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ସେହିପରି ନରସିଂହପୁର ସିଂହନାଥ ଦେବଙ୍କ ପୀଠରେ ବି ୧୪୪ ଧାରା ଜାରି ହୋଇଛି । ଗୁରୁବାର ସକାଳ ୬ଟାରୁ ୧୬ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୪ ଦିନ ଏହି କଟକଣା ବଳବତର ରହିବ । ଏହି ସମୟରେ ମନ୍ଦିରର ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ପୀଠକୁ ପ୍ରବେଶ ଉପରେ ବାରଣ କରାଯାଇଛି ।