ତଳତଳିଆଙ୍କୁ ମାଡ଼, ବଡ଼ ବଡ଼ିଆଙ୍କୁ ମାଫ୍ । ଜଗାଦର୍ଶନ ବେଳେ କାହିଁକି ଏ ପାତରଅନ୍ତର । ଠାକୁର ଦର୍ଶନ କରି ନିଲମ୍ବିତ ହେଲେ ୪ ଏଏନଏମ୍, ହେଲେ ତହସିଲଦାରଙ୍କୁ କ୍ଷମା !

171

କନକ ବ୍ୟୁରୋ : ତହସିଲଦାରଙ୍କୁ ମାଫ୍, ଏଏନଏମଙ୍କୁ ଛାଟ । ଶ୍ରୀମନ୍ଦିର ଜଗନ୍ନାଥ ଦର୍ଶନକୁ ନେଇ ପ୍ରଶାସନର ଏଭଳି କିଛି ଦୋମୁହାଁ ନୀତି ସାମ୍ନାକୁ ଆସିଛି, ଯେତେବେଳେ ୪ଜଣ ଏଏନଏମଙ୍କୁ ଚାରିକିରୁ ନିଲମ୍ବିତ କରାଯାଇଛି । ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ କରୁଥିଲେ ଏହି ୪ ଜଣ ଏଏନଏମ୍ । ଆଉ ସମୟ ସୁବିଧା ଦେଖି ଅନୁମତି ନଥାଇବି ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ନିୟମର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ପ୍ରଶ୍ନ ସେତେବେଳେ ଉଠେ ଯେତେବେଳେ ସମାନ ଭୁଲ ପାଇଁ ବଡବଡିଆଙ୍କୁ ମାଫ୍ କରିଦିଆଯାଏ ।

ତଳତଳିଆଙ୍କୁ ମାଡ଼, ବଡ଼ବଡି଼ଆଙ୍କୁ ମାଫ୍ । ଜଗା ଦର୍ଶନ ପାଇଁ ଇଏ କି ବିଚାର ! ଗୋଟିଏ ପଟେ ୪ଜଣ ଏଏନଏମ୍ କର୍ମୀ ଏବଂ ଅନ୍ୟପଟେ ଜଣେ ତହସିଲଦାର । ଉଭୟଙ୍କ ଦୋଷ ଗୋଟିଏ । ତାହା ହେଉଛି, ମନ୍ଦିର ପ୍ରବେଶ ନିୟମ ଭାଙ୍ଗି ମନ୍ଦିରରେ ପ୍ରବେଶ କରିବା । ତେବେ ତଳତଳିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ତହସିଲଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ୪ଜଣ ଏଏନଏମଙ୍କ ଦାୟିତ୍ୱ ଥିଲା ମନ୍ଦିରକୁ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ମନ୍ଦିର ବାହାରେ ଥର୍ମାଲ ଚେକିଂ କରିବା । ହେଲେ ପାଖରେ ମନ୍ଦିରକୁ ପ୍ରବେଶ ଅନୁମତି ନଥାଇ ଶ୍ରୀମନ୍ଦିର ଭିତରକୁ ଏହି ୪ଜଣ ଏଏନଏମ୍ କର୍ମୀ ଗତ ୨ ଦିନ ତଳେ ପ୍ରବେଶ କରିଥିଲେ । ଯାହା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ତହସିଲଦାର ଓ ତାଙ୍କ ପରିବାର କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇଯାଇଛନ୍ତି ।

ଶ୍ରୀମନ୍ଦିର ପ୍ରବେଶ ନିୟମ ଭାଙ୍ଗିଥିବାରୁ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ବଡବଡିଆ କିପରି ରକ୍ଷା ପାଇଯାଉଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଛିଡା ହୋଇଛି । ଜଗା ଦର୍ଶନ ପାଇଁ ଏମିତିକା ବିଚାରକୁ ନେଇ ଏବେ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି । ପ୍ରଶ୍ନ ଉଠୁଛି, ଯଦି ସମାନ ଦୋଷରେ ୪ଜଣ ଏଏନଏମ୍ କର୍ମୀ ସସପେଣ୍ଡ ହେଲେ ତେବେ ତହସିଲଦାରଙ୍କ ଉପରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ?