କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଭାବନୀୟ ଘଟଣା । ଅନ୍ଧାରରେ ମହମବତୀ, ମୋବାଇଲ ଲାଇଟ ଲଗାଇ କରାଯାଉଛି ଚିକିତ୍ସା । ମେଡିକାଲର କ୍ୟାନସର ୱାର୍ଡ ଆଉଟଡୋରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଦ୍ୟୁତ୍ ଚାଲିଯିବା ପରେ ଲମ୍ବା ଲାଇନ ଠିଆ ହୋଇଥିବା ଲୋକଙ୍କ ପାଇଁ ମହମବତୀ ଲଗାଇ ଚିକିତ୍ସା କରୁଛନ୍ତି ଡାକ୍ତର । ମେଡିକାଲରେ ଅନ୍ୟ ୱାର୍ଡରେ ଜନେରେଟର ବ୍ୟବସ୍ଥା ରହିଥିଲେ ମଧ୍ୟ କ୍ୟାନସର ୱାର୍ଡରେ ଜେନେରେଟର ସଂଯୋଗ କରାଯାଇ ନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବାଂଟୁଥିବା ବେଳେ ଅନ୍ୟ ପରେ ରାଜ୍ୟର ପ୍ରମୁଖ ମେଡିକାଲ କଲେଜରେ ଏଭଳି ସମସ୍ୟାକୁ ନେଇ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବହୁ ନୂତନ କୋଠା କାର୍ଯ୍ୟକ୍ଷମ ହୋଇଛି। କାଜୁଆଲ୍‌ଟି ଠାରୁ ଆରମ୍ଭ କରି ମେଡିସିନ୍‌ ବିଭାଗ, ପ୍ରସୂତି ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଆଇସିୟୁ ଓ ଆର୍‌ଡିସି କୋଠାକୁ ଜେନେରେଟର୍‌ ସଂଯୋଗ ଦିଆଯାଇଛି । ବିଦ୍ୟୁତ ବିଭ୍ରାଟ ହେଲେ ଜେନେରେଟର୍‌ ଦ୍ବାରା ବିଦ୍ୟୁତ ଯୋଗାଣ କରାଯାଉଛି । କିନ୍ତୁ କ୍ୟାନସର୍‌ ୱାର୍ଡ଼କୁ ଜେନେରେଟର୍‌ ସଂଯୋଗ କରାଯାଇ ନାହିଁ । ଫଳରେ ଆଜି ରୋଗୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏମ୍‌କେସିଜି ମେଡିକାଲ ପରିସରର ଅଧିକାଂଶ ବିଭାଗକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । କାରଣ ମେଡିକାଲ ପରିସରରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାରରେ ଗଛ ଲାଗି ଯାଇଥିଲା। ଗଛ କାଟିବା ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏଥିପାଇଁ କ୍ୟାନସର୍‌ ୱାର୍ଡ଼ ପୂରା ଅନ୍ଧାର ହୋଇ ଯାଇଥିଲା ।

ଏ ସମ୍ପର୍କରେ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହନ୍ତି, ବିଦ୍ୟୁତ ତାରରେ ଲାଗିଥିବା ଗଛ କାଟିବା ପାଇଁ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । କ୍ୟାନସର୍‌ ୱାର୍ଡ଼କୁ ଜେନେରେଟର୍‌ ସଂଯୋଗ କରାଯାଇ ନାହିଁ। ନିକଟରେ ଥିବା ‌ରେଡ଼ିଓ ଡାଇଗ୍ନୋଷ୍ଟିକ୍‌ ବିଭାଗର ଜେନେରେଟର୍‌ରୁ ସଂଯୋଗ ଦେବା ପାଇଁ କୁହାଯାଇଛି । ଅନ୍ୟ ସମସ୍ତ ବିଭାଗକୁ ଜେନେରେଟର୍‌ ସଂଯୋଗ କରାଯାଇଛି ବୋଲି ପ୍ରଫେସର ମିଶ୍ର କହିଛନ୍ତି ।