ଖସୁଛି ପାରଦ, ବଢୁଛି ଥଣ୍ଡା : ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ଅଞ୍ଚଳ

111

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ତଳକୁ ଖସିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ଉପକୂଳ ଓଡ଼ିଶାରେ ୨ ଡିଗ୍ରି ଯାଏ ଖସିଛି। ଗତ ରାତିରେ ରାଜ୍ୟର ପାଖାପାଖି ୭ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରି ସେଲ୍‌ସିୟସ୍‌ ବା ତା’ଠାରୁ କମ୍‌ ରେକର୍ଡ ହୋଇଛି ।

ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି । ଅନ୍ୟାନ୍ୟ ସ୍ଥାନଗୁଡ଼ିକ ଭିତରେ କୋରାପୁଟରେ ୧୨.୨ ଡିଗ୍ରି, ଫୁଲବାଣୀଠାରେ ୧୨.୬ ଡିଗ୍ରି, କେନ୍ଦୁଝରରେ ୧୪.୨ ଡିଗ୍ରି, ଟିଟିଲାଗଡ଼ରେ ୧୪.୩ ଡିଗ୍ରି, ଝାରସୁଗୁଡ଼ାରେ ୧୪.୬ ଡିଗ୍ରି ଏବଂ ଭବାନୀପାଟଣାରେ ୧୫ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ରାତିର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଓ କଟକରେ ୧୮ ଡିଗ୍ରି ସେଲ୍‌ସିୟସ୍‌ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।

ସ୍ବାଭାବିକ ରାତ୍ରି ତାପମାତ୍ରାଠାରୁ ସର୍ବାଧିକ ବ୍ୟବଧାନ ଟିଟିଲାଗଡ଼ଠାରେ ରହିଥିଲା । ଏଠାରେ ୪.୮ ଡିଗ୍ରି ସେଲ୍‌ସିୟସ୍‌ କମ୍ ରହିଥିବ‌ା ରେକର୍ଡ କରାଯାଇଥିଲା । ସେହିଭଳି ଭୁବନେଶ୍ବରଠାରେ ସ୍ବାଭାବିକ ରାତ୍ରି ତାପମାତ୍ରାଠାରୁ ୩.୫ ଡିଗ୍ରି ସେଲ୍‌ସିୟସ୍‌ କମ୍‌ ରହିଥିଲା। ଆଗାମୀ ୩ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୦ ତାରିଖ ଆଡ଼କୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ରାତି ତାପମାତ୍ରାରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନର ସୂଚନା ନାହିଁ । ଆଗାମୀ ୩ରୁ ୪ ଦିନ ଯାଏ ସ୍ବାଭାବିକ ତାପମାତ୍ରାଠାରୁ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ କମ୍‌ ରହିପାରେ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।

କନ୍ଧମାଳ ଜିଲ୍ଲାରେ ରବିବାରଠୁ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ତିନିଦିନ ମଧ୍ୟରେ ତାପମାତ୍ରା ୫.୫ ଡିଗ୍ରି ହ୍ରାସ ପାଇଛି । ରବିବାର ଦିନ ତାପମାତ୍ରା ୯.୫ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ଼ କରାଯାଇଛି । ସେହିପରି ଫୁଲବାଣୀରେ ପାରଦ ୧୨.୬ ଡିଗ୍ରିକୁ ଖସିଛି । ଫଳରେ ଉଭୟ ଅଞ୍ଚଳରେ ଜୀବନଯାତ୍ରା ବ୍ୟାହତ ହୋଇଛି। ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରି ରହିଥିଲା । ତେବେ ଆଜି ଦାରିଙ୍ଗବାଡ଼ିରେ ହଠାତ୍‌ ତାପମାତ୍ରା ୩.୫ ଡିଗ୍ରିକୁ ଖସିବାରୁ ଶୀତର ପ୍ରକୋପ ବଢ଼ିଯାଇଛି ।

ସେହିପରି ସମଗ୍ର କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ମଧ୍ୟ ଅନୁଭୂତ ହେଉଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ସକାଳୁ ଫୁଲବାଣୀ ସହର ଘନ କୁହୁଡ଼ି ଦ୍ବାରା ଆଚ୍ଛାଦିତ ହୋଇ ରହିଥିଲା । ରାସ୍ତାଘାଟ ଦୃଶ୍ୟମାନ ହେଉ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରାତଃ ଭ୍ରମଣରେ ବାହାରିଥିବା ସହରବାସୀ ବେଶ୍ ସତର୍କତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଅନେକ ସ୍ଥାନରେ ଯାନବାହନ ଅଟକି ରହିଥିଲା । ଅନ୍ୟପକ୍ଷରେ ଶୀତର ବଢ଼ିବା ସାଙ୍ଗକୁ ଦାରିଙ୍ଗବାଡ଼ି ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଗହଳଚହଳ ଜମିବାରେ ଲାଗିଛି ।