କନକ ବ୍ୟୁରୋ : ଆଜି ଦନ୍ତେୱାଡ଼ା ଯିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ନକ୍ସଲ ଯେଉଁ ସ୍ଥାନରେ ଯବାନଙ୍କୁ ଆକ୍ରମଣ କରିଥିଲେ ସେହି ସ୍ଥାନକୁ ଯିବେ ବାଘେଲ । ଘଟଣାସ୍ଥଳରେ ସ୍ଥିତି ଦେଖିବା ସହ ଆକ୍ରମଣ ଘଟଣାର ସମୀକ୍ଷା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କେଉଁ ପରିସ୍ଥିତିରେ ହେଲା ହମଲା, କେଉଁଠି ରହିଲା ତାର ସମୀକ୍ଷା କରିବେ । ଏହି ସମୟରେ ଛତିଶଗଡ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ଯବାନଙ୍କ ପକ୍ଷରୁ ଶୀର୍ଷ ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

Advertisment

ଗତକାଲି ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି ୧୦ ଯବାନ । ବିସ୍ଫୋରଣର ତୀବ୍ରତା ଏତେ ପ୍ରଚଣ୍ଡ ରହିଥିଲା ଯେ, ଗାଡ଼ି ପ୍ରାୟ ୨୦ଫୁଟ ଉପରକୁ ଉଠି ଛିନ୍‌ଛତ୍ର ହୋଇଯାଇଥିଲା । ଅରନପୁର ଅଞ୍ଚଳରେ ମ‌ାଓବାଦୀଙ୍କ ଗତିବିଧି ନେଇ ସୂଚନା ପାଇ ଡିଆରଜି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ଏହି ଖବର ମାଓବାଦୀ ଶିବିରରେ ପହଞ୍ଚି ଯାଇଥିଲା। ତେଣୁ ଆକ୍ରମଣ ପାଇଁ ଯୋଜନା କରି ଫେରିବା ବାଟରେ ଆମ୍ବୁସ୍‌ ଲଗାଇ ରହିଥିଲେ। ଗାଡ଼ି ଭଡ଼ା କରି ଯବାନମାନେ ଫେରିବା ସମୟରେ ଅରନପୁର-ସମେଲି ରାସ୍ତାରେ ମାଓବାଦୀ ବଡ଼ଧରଣର ବିସ୍ଫୋରଣ କରିଥିଲେ ।

ଘଟଣାସ୍ଥଳରେ ହିଁ ହେଡ୍‌ କନେଷ୍ଟବଳ ଜୋଗା ସୋଢ଼ୀ, ମୁନାରାମ କଡତୀ, ସନ୍ତୋଷ ତାମୋ, କନେଷ୍ଟବଳ ଦୁଗୋ ମଣ୍ଡାବୀ, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବୀ, ଯବାନ ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ସହିଦ ହୋଇଯାଇଥିଲେ । ଗାଡ଼ି ଚାଳକ ଧନୀରାମ ଯାଦବଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ସେପଟେ ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଫୋନ୍ ଯୋଗେ ବାଘଲଙ୍କ ସହ କଥା ହୋଇଛନ୍ତି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଥିବା ବେଳେ ଗତକାଲି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।