ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଧିକଙ୍କ ମୃତ୍ୟୁକୁ ନେଇ ମିଛ କହୁଥିଲା ତାଲିବାନ । କ୍ରସ୍ ଫାୟାରିଂରେ ନୁହେଁ ବରଂ ଜାଣିଶୁଣି ଦାନିଶଙ୍କୁ କରାଯାଇଥିଲା ହତ୍ୟା 

148

କନକ ବ୍ୟୁରୋ: ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଧିକିଙ୍କ ମୃତ୍ୟୁ ତାଲିବାନ ଆକ୍ରମଣରେ ନୁହେଁ ବରଂ ଜାଣିଶୁଣି ତାଙ୍କ ହତ୍ୟା କରିଥିଲା ତାଲିବାନ । ଆମେରିକା ଗଣମାଧ୍ୟରେ ଏଭଳି ଏକ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଉଲ୍ଲେଖ ହୋଇଛି ଯେ, ଆଫଗାନ୍ ସେନା ଓ ତାଲିବାନୀଙ୍କ ସଂଘର୍ଷ ଭିତରେ ଦାନିଶଙ୍କ ମୃତ୍ୟୁ ହୋଇ ନାହିଁ ବରଂ ତାଙ୍କୁ ଜୀବନ୍ତ ଧରି ତାଙ୍କର ପରିଚୟ ବୁଝି ସୁଝି ତାଙ୍କୁ ହତ୍ୟା କରିଛି ତାଲିବାନ ।

ଫଟୋ ସାମ୍ବାଦିକ ଦାନିଶ ସିଦ୍ଧିକିଙ୍କୁ ନେଇ ଆମେରିକା ଆଣିଛି ଏଭଳି କିଛି ତଥ୍ୟ । ଗୁରୁବାର ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦାନିଶଙ୍କ ହତ୍ୟା ପଛର ପ୍ରକୃତ କଥା ଦର୍ଶାଯାଇଛି । ଆମେରିକାର ମାଗାଜିନ୍ ୱାସିଙ୍ଗଟନ ଏକ୍ଜାମିନର ର ଏକ ରିପୋର୍ଟ ଅନୁସାରେ, ଦାନିଶଙ୍କ ମୃତ୍ୟୁ ଆଫଗାନିସ୍ତାନ ସେନା ଓ ତାଲିବାନିଙ୍କ ଭିତରେ କାନ୍ଧହାର ସହରରେ  ହୋଇଥିବା ସଂଘର୍ଷରେ ହୋଇନାହିଁ । ତାଲିବାନୀ ପ୍ରଥମେ ଦାନିଶଙ୍କୁ ଧରିଥିଲେ, ଏହାପରେ ତାଙ୍କ ପରିଚୟ ବୁଝିଥିଲେ, ତାପରେ ନିର୍ମମ ଭାବେ ତାଙ୍କର ହତ୍ୟା କରିଥିଲେ ।

ଗତ ୧୬ ଜୁଲାଇରେ ଆଫଗାନ୍ ସେନା ଓ ତାଲିବାନୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧର ଚିତ୍ରକୁ ନିଜ କ୍ୟାମେରାରେ କଏଦ କରିବା ବେଳେ ଦାନିଶ ସିଦ୍ଧିକିଙ୍କ ମୃତ୍ୟୁ ହୋଇଥିଲା ବୋଲି ତାଲିବାନ ଦାବି କରିଥିଲା ଏବଂ ତାଙ୍କ ମୃତ୍ୟୁ ପଛରେ ତାଲିବାନର ହାତ ନାହିଁ ବୋଲି ସ୍ପଷ୍ଟ କରିଥିଲା । ଯଦି ତାଲିବାନ ଦାନିଶ ସିଦ୍ଧିକିଙ୍କୁ ହତ୍ୟା କରି ନଥିଲା ତାହାଲେ ତାଙ୍କ ପାଖରେ କିପରି ଆସିଲା ଦାନିଶଙ୍କ ମୃତଦେହ?

ଗତ ୧୬ ଜୁଲାଇରେ କାନ୍ଧହାର ସହରରେ ଯେତେବେଳେ ଆଫଗାନ ସେନା ଓ ତାଲିବାନିଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା ସେତେବେଳେ ସିଦ୍ଧିକି ଆହତ ହୋଇଥିଲେ । କିଛି ଆଫଗାନ ସେନା ସହ ସେ ନିକଟରେ ଥିବା ଏକ ମସଜିଦ୍ରେ ଲୁଚି ଥିଲେ । ଯେଉଁଠି ସିଦ୍ଧିକିଙ୍କୁ ଫାଷ୍ଟଏଡ୍ ଚିକିତ୍ସା ଦିଆଯାଇଥିଲା । ତେବେ ତାଲିବାନି ମାନେ ଯେତେବେଳେ ଜାଣିବାକୁ ପାଇଲେ ମସଜିଦ୍ ଭିତରେ ଜଣେ ସାମ୍ବାଦିକ ଅଛନ୍ତି ସେମାନେ ମସଜିଦ୍ ଉପରେ ଆକ୍ରମଣ କରି ଦାନିଶଙ୍କୁ କଏଦ କରି ନେଇଥିଲେ । ପରେ ତାଙ୍କୁ ହତ୍ୟା କରିଥିଲେ ।

ଦାନିଶ ସିଦ୍ଧିକିଙ୍କ ମୃତ ଦେହ ଭାରତ ସରକାରଙ୍କୁ ଫେରାଇବା ପରେ ତାଙ୍କ ଶରରୀରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଯାହା ସ୍ପଷ୍ଟ କରିଛି ତାଲିବାନି ସିଦ୍ଧିକିଙ୍କ ଉପରେ କିଭଳି ନୃସଂଶ ଅତ୍ୟାଚାର କରିଛନ୍ତି ।

ରୋହିଁଗ୍ୟା ଶରଣାର୍ଥୀଙ୍କ ଦୁଃଖରୁ ଆରମ୍ଭ କରି ଲକଡାଉନ୍ ବେଳେ ଶ୍ରମିକର ଭୋକର ଚିତ୍ର । ପୁଣି ଦିଲ୍ଲୀ ଦଙ୍ଗାର ଦୃଶ୍ୟ ଆଉ କରୋନା ମୃତ୍ୟୁର ଭୟଙ୍କର ଚିତ୍ର । ଏଭଳି ଅନେକ ସତ କାହାଣୀ ନିଜ କ୍ୟାମେରା ଜରିଆରେ ଲୋକଙ୍କ ପାଖରେ ପହଁଚାଇଛନ୍ତି ଦାନିଶ । ଗତି କିଛିଦିନ ହେବ ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧକୁ କଭରେଜ୍ କରିବା ପାଇଁ ଆଫଗାନିସ୍ତାନରେ ଥିଲେ ଦାନିଶ । ଯେଉଁଠି ତାଙ୍କର ମୃତ୍ୟୁ ହୋଇଛି ।