କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ପାକିସ୍ତାନ କ୍ରିକେଟର କଳା ସତ ପୂରା ବିଶ୍ୱବାସୀଙ୍କ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନ ପକ୍ଷରୁ ଖେଳୁଥିବା ସମୟରେ କିଭଳି ତାଙ୍କୁ ଧାର୍ମିକ ଭେଦଭାବର ଶିକାର ହେବାକୁ ପଡିଥିଲା ତାହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କାନେରିଆ । ଏଭଳି ଭେଦଭାବର ଶିକାର ହେବା ପଛର ସବୁଠୁ ବଡ କାରଣ ଥିଲା ତାଙ୍କର ଧର୍ମ । କାନେରିଆ ହିନ୍ଦୁ ଧର୍ମର ହୋଇଥିବା କାରଣରୁ ତାଙ୍କୁ ଦଳରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲା । କାନେରିଆ କହିଛନ୍ତି, ଯଦି ସେ ହିନ୍ଦୁ ହୋଇ ନଥାନ୍ତେ ତେବେ ଆଜି ପାକିସ୍ତାନ ଟିମର ଅଧିନାୟକ ହୋଇଥାନ୍ତେ । କିନ୍ତୁ ତାଙ୍କ କ୍ରିକେଟ କ୍ୟାରିୟର ଏଥିପାଇଁ ଖରାପ ହେଲା କାରଣ ନିଜର ଧର୍ମକୁ ସେ ଯଥେଷ୍ଟ ବିଶ୍ୱାସ କରୁଥିଲେ ।

Advertisment

କାନେରିଆ କହିଛନ୍ତି, ପିସିବିରେ ସବୁକିଛି ସମ୍ଭବ । ଏଠାରେ ପ୍ରତିଭା ନୁହେଁ ବରଂ ଲୋକଙ୍କ ସୁପାରିଶରେ ଖେଳାଳୀଙ୍କୁ ଦଳରେ ସାମିଲ କରାଯାଇଥାଏ । ଏପରିକି ତାଙ୍କୁ ନିଜ ଟିମ ପକ୍ଷରୁ କୌଣସି ସମର୍ଥନ ମିଳିନଥିଲା ବରଂ ନିଜର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଇଥିଲା । କାନେରିଆ କହିଛନ୍ତି, ପାକିସ୍ତାନ ଦଳର ଅଧିନାୟକ ଯେତେବେଳ ଯାଏଁ ଇଞ୍ଜାମାମ୍ ଉଲ ହକ୍ ଥିଲେ ସେତେବେଳ ଯାଏଁ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା । ଇଞ୍ଜାମାମଙ୍କ ନେତୃତ୍ୱରେ ଦୀର୍ଘ ଦିନ କ୍ରିକେଟ ଖେଳିଛନ୍ତି କାନେରିଆ । କିନ୍ତୁ ଇଞ୍ଜାମାମ ଅଧିନାୟକ ପଦ ଛାଡିବା ପରେ କାନେରିଆଙ୍କ କ୍ରିକେଟ କ୍ୟାରିୟର ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା । ଟିମରେ ଖେଳୁଥିବା ବେଳେ ସୋଏବ ଅଖତର ମଧ୍ୟ ବାରମ୍ବାର କହୁଥିଲେ, ଲୋକଙ୍କ କଥାରେ ଧ୍ୟାନ ନଦେଇ ଖେଳ ଉପରେ ଧ୍ୟାନ ଦିଅ । କିନ୍ତୁ ପାକିସ୍ତାନର ଟିମରେ ଏମିତି ଅନେକ ଖେଳାଳୀ ଥିଲେ ଯେଉଁମାନେ ଧାର୍ମିକ ଭେଦଭାବ ରଖୁଥିଲେ ।

କାନେରିଆ କହିଛନ୍ତି, ପାକିସ୍ତାନ ଟିମର ସାହିଦ ଆଫ୍ରିଦି ଅତି ଖରାପ ବ୍ୟବହାର କରୁଥିଲେ । ମୋ ସାଥୀରେ ଖାଉନଥିଲେ । ଏପରିକି ମୋତେ ସକାଳୁ ସକାଳୁ ନମାଜ ପଢିବାକୁ ଡାକୁଥିଲେ । ଆଫ୍ରିଦି ଜଣେ ଚରିତ୍ରହୀନ ବ୍ୟକ୍ତି । ମୋତେ ଧର୍ମ ପରିବର୍ତ୍ତନ କରିବାକୁ କହୁଥିଲେ । କିନ୍ତୁ ସେତେବେଳେ ଜୟ ଶ୍ରୀରାମ କହି ସେଠାରୁ ଚାଲି ଆସେ । ଏହା ପରଠାରୁ ମୋତେ ଟିମରୁ ବିଦା କରିବାକୁ ପ୍ରୟାସ ଚାଲିଥିଲା । ଯଦି ହିନ୍ଦୁ ଧର୍ମ ପରିବର୍ତ୍ତନ କରିଥାନ୍ତି ତେବେ ପାକିସ୍ତାନ ଟିମର ଅଧିନାୟକ ହୋଇଥାନ୍ତି । ଅନେକ ରେକର୍ଡ ଭାଙ୍ଗିଥାନ୍ତତ । କିନ୍ତୁ ଏଭଳି କିଛି ମୋର ଆବଶ୍ୟକତା ନାହିଁ । ସ୍ଥିତି କିଛି ବି ହେଉ ନା କହିଁକି, ମୋ ଧର୍ମ ମୋ ପାଇଁ ସବୁଠୁ ଉପରେ ବୋଲି କହିଛନ୍ତି କାନେରିଆ ।

୪୨ ବର୍ଷୀୟ କାନେରିଆ କହିଛନ୍ତି, ଏଭଳି ସ୍ଥିତି ଭାରତୀୟ ଟିମରେ ଦେଖିବାକୁ ମିଳେନାହିଁ । ଏକ ଟୁର୍ଣ୍ଣାମେଣ୍ଟରେ ସାମିଙ୍କୁ ଟ୍ରୋଲ କରାଯାଇଥିଲା, କିନ୍ତୁ କୋହଲି ଓ ଅନ୍ୟ ଖେଳାଳୀ ସାମିଙ୍କ ସମର୍ଥନରେ ବାହାରିଥିଲେ । ଆଝାରୁଦ୍ଦିନଙ୍କ ସହ ଅନେକ କିଛି ଘଟିଛି, କିନ୍ତୁ ପ୍ରତି ସମୟରେ ସମସ୍ତେ ତାଙ୍କ ସହ ଛିଡା ହୋଇଛନ୍ତି । ଭାରତରେ ସବୁ ଧର୍ମକୁ ଉଚିତ୍ ସମ୍ମାନ ମିଳେ । ସେହିଭଳି ଭାରତୀୟ ନାଗରିକତାକୁ ନେଇ କାନେରିଆ କହିଛନ୍ତି, ଏଭଳି ସୁଯୋଗ ମିଳିଲେ ନିଶ୍ଚୟ ଭାରତର ନାଗରିକତା ଗ୍ରହଣ କରିବି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସା କରିବା ସହ ତାଙ୍କ ନେତୃତ୍ୱରେ ଭାରତ ବିକାଶ ପଥରେ ଆଗକୁ ବଢୁଛି । ଏହାସହ ନିଜ ଉପରେ ଲାଗିଥିବା ବ୍ୟାନ୍ ହଟାଇବାରେ ମୋଦୀ ସହଯୋଗ କରନ୍ତୁ ବୋଲି କାନେରିଆ ଅପିଲ କରିଛନ୍ତି ।

ସେହିଭଳି ଚଳିତ ବିଶ୍ୱକପରେ ଭାରତ-ପାକିସ୍ତାନର ପ୍ରଦର୍ଶନକୁ ନେଇ କାନେରିଆ କହିଛନ୍ତି, ଟପ୍-୪ରେ ପହଞ୍ଚିବା ପାକିସ୍ତାନ ପାଇଁ ବହୁତ ବଡ କଥା । ଅନ୍ୟ ଟିମ ଉପରେ ନିର୍ଭର କରିବା ଏବେ ପାକିସ୍ତାନର ଅଭ୍ୟାସ ପାଲଟିଛି । କିନ୍ତୁ ଚଳିତ ବିଶ୍ୱକପରେ ଚାମ୍ପିୟନ ହେବାର ସବୁଠୁ ବଡ ଦାବିଦାର ହେଉଛି ଭାରତ ।