କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଏସପି ସାଂସଦ ଦାନିଶ ଅଲ୍ଲୀ ଓ ବିଜେପି ସାଂସଦ ରମେଶ ବିଧୂଡୀଙ୍କ ମାମଲାରେ ସାଂସଦଙ୍କ ଅଭିଯୋଗକୁ ବିଶେଷାଧିକାର କମିଟି ନିକଟକୁ ପଠାଇ ଦେଇଛନ୍ତି । ଏନେଇ ଗୁରୁବାର ଦିନ ଅଧିକାରୀ ସ୍ତରରେ ସୂଚନା ଦିଆଯାଇଛି ।

Advertisment

ଚନ୍ଦ୍ରଯାନ-୩ ସଫଳତା ଉପରେ ଲୋକସଭାରେ ଚର୍ଚ୍ଚା ଚାଲିଥିବା ବେଳେ ସେପ୍ଟେମ୍ବର ୨୧ ତାରିଖରେ ରମେଶ ବିଧୂଡୀ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ । ଏହାକୁ ନେଇ ସଂସଦ ଭିତର ଠାରୁ ବାହାର ପର୍ଯ୍ୟନ୍ତ ବିଧୂଡୀଙ୍କ ଭାଷାକୁ ସମାଲୋଚନା କରାଯାଇଥିଲା । ସଂସଦରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ, ଏନସିପି ସାଂସଦ ସୁପ୍ରିୟା ସୁଲେ, ଡିଏମକେ ସାଂସଦ କାନିମୋଇ ଓ ଅନେକ ବିରୋଧୀଦଳ ସାଂସଦ ଦାନିଶ ଅଲ୍ଲୀଙ୍କ ସମର୍ଥନରେ ବାହାରିଥିଲେ । ଏହା ସହ ରମେଶ ବିଧୂଡୀଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ସେପଟେ ଏଭଳି ଆଚରଣ ପାଇଁ ବିଜେପି ମଧ୍ୟ ସାଂସଦ ରମେଶ ବଧୂଡୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହାସହ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ରବି କିଷନ ବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ସେ ଅଭିଯୋଗ କରିଥିଲେ କି ବିଏସପି ସାଂସଦ ଦାନିଶ ଅଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଛନ୍ତି । ସେମାନେ ଏହା ବିରୋଧରେ ବିଶେଷାଧିକାର କମିଟିର ଯାଂଚ ପାଇଁ ଦାବି କରିଥିଲେ । ଏହି ଦୁଇଟିଯାକ ମାମଲାକୁ ଲୋକସଭାର ବାଚସ୍ପତି ବିଶେଷାଧିକାର କମିଟି ନିକଟକୁ ପଠାଇ ଦେଇଛନ୍ତି ।