ବାରମ୍ବାର ବୁଡୁଛି ଡଙ୍ଗା । ହେଲେ ନା ଚେତୁଛି ପ୍ରଶାସନ ନା ଚେତୁଛନ୍ତି ଲୋକେ । ବିନା ଲାଇଫ୍ ଜ୍ୟାକେଟରେ ଜୀବନକୁ ପାଣି ଛଡାଇ ଭରା ନଦୀ ପାର ହେଉଛନ୍ତି ଯାତ୍ରୀ ।

94

କନକ ବ୍ୟୁରୋ : ବାରମ୍ବାର ବୁଡୁଛି ଡଙ୍ଗା । ନିକଟରେ ଚିଲିକାରେ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯାଇଥିବା ବେଳେ ମୃତ୍ୟୁ ମୁହଁରୁ ୨୭ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ । କିନ୍ତୁ ଏହା ପରେ ବି ନା ଚେତୁଛି ପ୍ରଶାସନ ନା ଚେତୁଛନ୍ତି ଲୋକେ । ରାଜନଗର ତାଳଚୁଆ ଫେରିଘାଟରୁ ବି ଆସିଛି କିଛି ଏଭଳି ଦୃଶ୍ୟ । ବିନା ଲାଇସେନ୍ସ, ଲାଇଫ ଜ୍ୟାକେଟରେ ଜୀବନକୁ ପାଣି ଛଡାଇ ଭରା ନଦୀ ପାର ହେଉଛନ୍ତି ଯାତ୍ରୀ ।

ଡଙ୍ଗା ବୁଡି ଯାଉଛି ଜୀବନ, ଜଳପଥ ପାଲଟୁଛି ମୃତ୍ୟୁ ପଥ । ୨୫ଜଣ ଯାତ୍ରୀ ପରିବହନ ପାଇଁ କ୍ଷମତା ଥିବା ବୋଟରେ ଯାଉଛନ୍ତି ୭୦ ରୁ ୮୦ ଜଣ ଯାତ୍ରୀ । ତା’ ସାଙ୍ଗକୁ ବୋଟରେ ଲଦା ହେଉଛି ଗଦା ଗଦା ସାଇକେଲ ଓ ମୋଟରସାଇକେଲ । ରାଜନଗର ବ୍ଲକର ୭ଟି ପଂଚାୟତ ଲୋକେ ବ୍ୟବସାୟ କାରବାର ପାଇଁ ତାଳଚୁଆରୁ ଭଦ୍ରକ କାରନାଳି ଫେରିଘାଟ ଯାଏ ଏମିତି ବୋଟରେ ଯାଇଥାନ୍ତି । ୧୦ କିଲୋମିଟର ଜଳ ରାଶିକୁ ପାର ହେବା ପାଇଁ ପାଖାପାଖି ୪୫ ମିନିଟରୁ ୧ ଘଂଟା ଲାଗିଥାଏ । ତେବେ ପ୍ରତିଦିନ ଜୀବନକୁ ପାଣି ଛଡାଇ ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି ଲୋକେ ।

ବାରମ୍ବାର ବିଭିନ୍ନ ସ୍ଥାନରେ ଡଙ୍ଗା ବୁଡି ଘଟଣା ଘଟୁଛି । ହେଲେ ନା ଚେତୁଛନ୍ତି ଲୋକେ ନା ପ୍ରଶାସନ । ତାଳଚୁଆରୁ ଭଦ୍ରକ କାରନାଳି ଫେରିଘାଟ ଯାଏ ଯାଉଥିବା ଏହି ବୋଟର ନା ଅଛି ଲାଇସେନ୍ସ ନା ଫିଟନେସ ସାର୍ଟିଫିକେଟ । ଲାଇଫ ଜ୍ୟାକେଟ ସହ ବୋଟ କି ଡଙ୍ଗାରେ କେତେ ଲୋକ ନେବେ, ବାଇକ କିମ୍ବା ସାଇକେଲ କିଭଳି ନେବେ ସେନେଇ ସରକାରଙ୍କ ଗାଇଡ ଲାଇନ ରହିଛି । କିନ୍ତୁ ସରକାରୀ ନିର୍ଦ୍ଦେଶନାମା ଓ ଗାଇଡଲାଇନ୍ କେବଳ କାଗଜପତ୍ରରେ ହିଁ ସୀମିତ ରହିଛି ।