ବ୍ରାହ୍ମଣୀରେ ବିପଦପୂର୍ଣ୍ଣ ଜଳଯାତ୍ରା । ନଦୀରେ ପୋଲ ନଥିବାରୁ ହୁଲି ଡଙ୍ଗାରେ ଯାତାୟାତ କରୁଛନ୍ତି ଲୋକେ ।

104

କନକ ବ୍ୟୁରୋ : ହୁଲି ଡଙ୍ଗାରେ ବ୍ରାହ୍ମଣୀ ନଦୀ ପାରି ହୋଇ ବଜାର, ଡାକ୍ତରଖାନା ଯାଉଛନ୍ତି ପାଳଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ୫ଟି ପଞ୍ଚାୟତର ଲୋକେ । କଲେଜରେ ପଠା ପଢିବା ପାଇଁ ପ୍ରତିଦିନ ବିପଦକୁ ସାମ୍ନା କରୁଛନ୍ତି ଛାତ୍ରଛାତ୍ରୀ । ରେଙ୍ଗାଳି ବହୁମୁଖୀ ଜଳଭଣ୍ଡାର ଓ ସମଲ ବ୍ୟାରେଜ ଯୋଗୁଁ ବର୍ଷ ତମାମ ନଦୀରେ ପାଣି ଭରି ରହୁଛି । ତେଣୁ ପୋଲଟିଏ ନିର୍ମାଣ କରିବା ପାଇଁ ଦାବି ହେଉଛି ।

ବ୍ରାହ୍ମଣୀ ନଦୀରେ ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଜଳଯାତ୍ରା । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ତାଳପଦା, ଦଲକ, ହନୁମାନପୁର, ନାଲମ, କଣ୍ଟାପାଳ ୫ଟି ପଞ୍ଚାୟତର ଗ୍ରାମବାସୀ ହୁଲି ଡଙ୍ଗାରେ ଯାତାୟାତ କରୁଛନ୍ତି । କଲେଜ, ଡାକ୍ତରଖାନା ଓ ବଜାରକୁ ଆସିବା ପାଇଁ ଡଙ୍ଗା ହିଁ ଏକମାତ୍ର ଭରସା । ଆଉ ଯେତେବେଳେ ରେଙ୍ଗାଳି ଡ୍ୟାମ ପାଣି ଛାଡେ, ସମଲ ବ୍ୟାରେଜ ଗେଟ୍ ପଡିଯାଏ ସେତେବେଳେ ଗମନାଗମନ ଠପ୍ ହୋଇଯାଏ ।

ଜୀବନ ପ୍ରତି ବିପଦ ଥିଲେ ବି ନଦୀପାରି ହେଉଛନ୍ତି ଲୋକେ । କାରଣ ନଦୀ ପାରି ନହେଲେ ବଜାର ଓ ପବିତ୍ରନଗର କଲେଜ ଯିବା ପାଇଁ ତାଳଚେର ଉପଖଣ୍ଡ ଦେଇ ୪୦ କିଲୋମିଟର ଅଧିକ ରାସ୍ତା ଯିବାକୁ ପଡିବ । ତେଣୁ ବ୍ରାହ୍ମଣୀ ନଦୀରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରୁଛନ୍ତି । ସେପଟେ ପାଲଳହଡା ବିଧାୟକ ମୁକେଶ ପାଳ କହିଛନ୍ତି, ୬୧ କୋଟି ବ୍ୟୟ ଅଟକଳରେ ପୋଲ ନିର୍ମାଣ ପାଇଁ ସର୍ଭେ ଆରମ୍ଭ ହୋଇଛି ।

ରେଙ୍ଗାଳି ବହୁମୁଖୀ ଜଳଭଣ୍ଡାର ଓ ସମଲ ବ୍ୟାରେଜ ନିର୍ମାଣ ପୂର୍ବରୁ ବ୍ରାହ୍ମଣୀ ନଦୀରେ ପାଣି କମ୍ ରହୁଥିଲା । ବର୍ଷା ଦିନକୁ ଛାଡି, ବାକି ଦିନରେ ଲୋକେ ନଦୀରେ ଚାଲିଚାଲି ଯାଉଥିଲେ । କିନ୍ତୁ ଜଳଭଣ୍ଡାର ଓ ବ୍ୟାରେଜ ନିର୍ମାଣ ହେବା ପରେ ବର୍ଷ ସାରା ନଦୀରେ ପାଣି ରହୁଛି । ତେଣୁ ହୁଲି ଡଙ୍ଗାରେ ଯା’ଆସ କରିବାକୁ ପଡୁଛି ।