କନକ ବ୍ୟୁରୋ: ମୃତ୍ୟୁର ଓଭରବ୍ରିଜ ସାଜିଛି ରାଜଧାନୀର ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ । ଗତକାଲି ରାତି ୯ଟା ୩୦ରେ ସନ୍ତୋଷୀ ମା ମନ୍ଦିର ନିକଟରେ ଆପ୍ରୋଚ ରୋଡ୍ ଫାଉଣ୍ଡେସନ ପାଇଁ ବନ୍ଧା ଯାଇଥିବା ଲୁହାରେଲିଂ ଭୁଶୁଡି ପଡିଥିଲା । ଲୁହା ରଡ୍ ତଳେ ୨ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଦୀର୍ଘ ୨୦ମିନିଟ୍ କାଳ ୨ଜଣ ଶ୍ରମିକ ଚାପି ହୋଇ ରହିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ୨ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ । କିଛି ସମୟ ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ଗ୍ୟାସ କଟରରେ ରଡ୍ କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ମେଡିକାଲରେ ପହଂଚିଲାପରେ ଡାକ୍ତର ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ ଲାଠିକଟା ଅଂଚଳର ଅଜୟ ଭୁମିଚ ବୋଲି ଜଣାପଡିଛି । ଅନ୍ୟଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଘର ସୁନ୍ଦରଗଡ ଦେବଗାଁ ଅଂଚଳର ଆନନ୍ଦ କୁମାର ନାୟକ ବୋଲି ସୂଚନା ମିଳିଛି ।
ବମିଖାଲ ଓଭରବ୍ରିଜର ଇତିହାସ
ବମିଖାଲ-ସହିଦନଗର ଫ୍ଲାଏ-ଓଭରବ୍ରିଜ୍ ଇତିହାସ ବି ଖୁବ୍ ଲମ୍ବା । ୨୦୦୯-୧୦ରେ ହୋଇଥିଲା ପ୍ରକଳ୍ପର ଅନୁମୋଦନ । ୨୦୧୦ରେ ଓଭରବ୍ରିଜ୍ କାର୍ଯ୍ୟ ଆରମ୍ଭ ହେବାର ଥିଲା । ଟାର୍ଗେଟ ରହିଥିଲା ୨୦୧୩ରେ ପ୍ରକଳ୍ପ ଶେଷ ହେବ । କିନ୍ତୁ ପ୍ରକୃତରେ କାମ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା । ପ୍ରକଳ୍ପର ବ୍ୟୟ ଅଟକଳ ହୋଇଥିଲା ୧୪ କୋଟି ୭୨ ଲକ୍ଷ ଟଙ୍କା । ପଣ୍ଡା ଇନ୍ଫ୍ରା ଏହି କାର୍ଯ୍ୟର ଠିକା ନେଇଥିଲା । ଓଭରବ୍ରିଜ୍ର ଦୈର୍ଘ୍ୟ ୧ ଦଶମିକ ୬ କିଲୋମିଟର ଏବଂ ଏଥିରେ ୭୫ଟି ସ୍ପାନ୍ ରହିଛି । ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲକ୍ଷ୍ୟ ରହିଥିଲା । ପ୍ରକଳ୍ପ ଅନୁମୋଦନର ୮-୯ ବର୍ଷ ପୂରିଗଲାଣି, ହେଲେ କାମ ଶେଷ କରିପାରୁନାହିଁ ଠିକା ସଂସ୍ଥା । ଏହାରି ଭିତରେ ବ୍ୟୟ ଅଟକଳ ମଧ୍ୟ ୧୪ କୋଟିରୁ ୨୮ କୋଟି ଟଙ୍କା ଟପି ସାରିଲାଣି । ବାରମ୍ବାର ଡିଜାଇନ୍ ବଦଳୁଛି, ନିର୍ମାଣ କାର୍ଯ୍ୟ ଶେଷ ହେବା ତାରିଖ ମଧ୍ୟ ବଦଳି ଚାଲିଛି । ଗତବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏକ ସ୍ପାନ୍ ଭୁଷୁଡି ପଡ଼ିବା ଯୋଗୁଁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ନିମ୍ନମାନର କାର୍ଯ୍ୟ ଅଭିଯୋଗ ହୋଇଥିଲା । ଠିକା ସଂସ୍ଥା ପଣ୍ଡା-ଇନ୍ଫ୍ରାର ମାଲିକ ମଧ୍ୟ ଗିରଫ ହୋଇଥିଲେ, ତେବେ କିଛି ଦିନ ପରେ ସେ ଜାମିନରେ ମୁକୁଳିଥିଲେ । ପୁଣିଥରେ ଓଭରବ୍ରିଜ୍ କାର୍ଯ୍ୟ ମଧ୍ୟ ପଣ୍ଡା-ଇନ୍ଫ୍ରା ଆରମ୍ଭ କରିଥିଲା । ହେଲେ ସୁଧୁରି ନଥିଲା ଏହି ଠିକା ସଂସ୍ଥା । ଶ୍ରମିକଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ମଧ୍ୟ କରିନଥିଲା । ପୂର୍ବଭଳି ପୁଣି ଥରେ ଏହି ସଂସ୍ଥା ବିରୋଧରେ ଆସିଛି ନିମ୍ନମାନର କାର୍ଯ୍ୟ ଅଭିଯୋଗ । ବାରମ୍ବାର ପୂର୍ତବିଭାଗର କୋହଳ ମନବୃତି ଯୋଗୁଁ ପୁଣି ଏହି ଏକ ବଡ଼ ଧରଣର ଅଘଟଣ ଘଟିଛି ।
କେଉଁଠି ରହିଲା ତ୍ରୁଟି
• କେଉଁ ପରିସ୍ଥିତିରେ ପୁଣି ବମିଖାଲ ଓଭରବ୍ରିଜ୍ରେ ଘଟିଲା ଦୁର୍ଘଟଣା?
• ଶ୍ରମିକଙ୍କ ସୁରକ୍ଷା ପ୍ରତି ଅଣଦେଖା କରାଯାଇଥିଲା କି?
• ଠିକା ସଂସ୍ଥା ‘ପଣ୍ଡା ଇନଫ୍ରା’କୁ ଦୁର୍ଘଟଣା ପାଇଁ ଦାୟୀ କରାଯିବ କି?
• ନିମ୍ନମାନର ଲୁହା ବ୍ୟବହାର କରାଯାଇଥିଲା କି?
• ଦୁର୍ଘଟଣାର କାରଣ ନିମ୍ନମାନର କାମ କି?
• ରାତିରେ ବିନା ଆଲୁଅରେ କାହିଁକି ହେଉଥିଲା କାମ?
• ଶ୍ରମିକଙ୍କ ଜୀବନକୁ ନେଇ ଖେଳ ଖେଳୁଛି କି ଠିକା ସଂସ୍ଥା?
• ବାରମ୍ବାର କାହିଁକି ଓଭରବ୍ରିଜ ନିର୍ମାଣ ବେଳେ ଦୁର୍ଘଟଣା ଘଟୁଛି?
ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ପୁଲିସ ଓ ସ୍ଥାନୀୟ ଯୁବକ ସାମିଲ
ଖସି ପଡ଼ିଥିବା ରେଲିଂ ତଳେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ । ଚାହୁଁ ଚାହୁଁ ଖବର ବ୍ୟାପୀ ଯାଇଥିଲା। ଶହଶହ ଲୋକ ରୁଣ୍ଡ ହୋଇ ଯାଇଥିଲେ ବମିଖାଲ ଛକରେ। ପ୍ରଥମେ ଖବର ଯାଇଥିଲା ପୁଲିସ କଣ୍ଟ୍ରୋଲ ରୁମ୍କୁ। ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ କର୍ମଚାରୀଙ୍କ ମୁଣ୍ଡ କାମ ଦେଇ ନ ଥିଲା। ତୁରନ୍ତ ସେମାନେ ବରିଷ୍ଠ ଅଧିକାରୀମାନଙ୍କୁ ଖବର ଦେଇଥିଲେ। ଖବର ପାଇ ଡିସିପି ଅନୁପ ସାହୁଙ୍କ ସମେତ, ଲକ୍ଷ୍ମୀସାଗର, ସହିଦନଗର ଓ ମଞ୍ଚେଶ୍ୱର ଥାନା ପୁଲିସ ଓ ଇନ୍ସପେକ୍ଟରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଳେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଏହା ପରେ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ପରେ ହିଁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟକ୍ରମ। ଏଥିରେ ଅଗ୍ନିଶମ ବିଭାଗର ୪ ୟୁନିଟ୍, ସ୍ଥାନୀୟ ଲୋକ, ଓ ପୁଲିସ ସାମିଲ ହୋଇଥିଲେ। ଖବର ବ୍ୟାପୀ ଯିବା ପରେ ରାଜଧାନୀର ଅନେକ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟି ଥିଲା ଘଟଣାସ୍ଥଳକୁ। ଭିଡ଼ ହଟାଇବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା ।
ଅଧଘଣ୍ଟା ଛଟପଟ
ରାତି ପ୍ରାୟ ୯ଟା ୩୦ ମିନିଟରେ ୨ ଶ୍ରମିକ ରେଲିଂ ତଳେ ଚାପି ହୋଇଯାଇଥିଲେ ହେଁ ବନ୍ଧା ଯାଇଥିବା ମୋଟା ରଡ୍ ଏତେ ଭାରି ଥିଲା ଯେ ସେଠୁ ମୁକୁଳିବା ସମ୍ଭବ ନଥିଲା। ଶେଷରେ କିଛି ଲୋକ ବି ଏହି ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିଲେ। ଶ୍ରମିକମାନେ ବିକଳରେ ଚିତ୍କାର କରିଥିଲେ ହେଁ ତାଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରି ନଥିଲା। ଶେଷରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିଲା। ତେବେ ଅନ୍ୟଜଣଙ୍କୁ ଉଦ୍ଧାର କରିବା ପାଇଁ କଟରର ସହାୟତା ନିଆଯାଇଥିଲା।
ଅନ୍ଧାର ଯୋଗୁଁ କଲବଲ, ସୁରକ୍ଷା କବଚ ନ ଥିଲା
ପ୍ରଥମତଃ ରାତିରେ କାମ ଚାଲୁଥିବା ବେଳେ ପ୍ରାୟ ୭ରୁ ୮ ଫୁଟ ଖାଲ ତଳେ ରେଲିଂ କାମ କରାଯାଉଥିଲା। ଏକ ହାଇମାଷ୍ଟ୍ ଲାଇଟ୍ ଲଗେଇ କାମ କରାଯାଉଥିବା ବେଳେ ଶ୍ରମିକମାନେ କୌଣସି ସୁରକ୍ଷା କବଚ ପରିଧାନ କରି ନଥିଲେ। ବିଶେଷକରି ହେଲମେଟ୍ ପିନ୍ଧି ନଥିବା ବେଳେ ମେସିନ୍ ଦ୍ୱାରା ହେବାକୁ ଥିବା କାର୍ଯ୍ୟକୁ ଶ୍ରମିକମାନେ କାହିଁକି କରୁଥିଲେ ବୋଲି ଅନେକ ପ୍ରଶ୍ନ ଉଠାଉଛନ୍ତି। ତେଣୁ ବେପରୁଆ ଭାବେ ନିର୍ମାଣ କାମ ଚାଲିଥିବା ବେଳେ କେହି ଯନ୍ତ୍ରୀ ଉପସ୍ଥିତ ଥିଲେ କି ନଥିଲେ ସେନେଇ ସୂଚନା ମିଳିନି।
ପୂର୍ବରୁ ବି ଓଭରବ୍ରିଜ୍ ନିର୍ମାଣବେଳେ ଘଟିଛି ଅଘଟଣ
• ୨୦୧୬ ମସିହା ଏପ୍ରିଲ ୨୫ ତାରିଖ। ଆଚାର୍ଯ୍ୟବିହାର ଓଭରବ୍ରିଜର ଖସିଥିଲା ସ୍ଲାବ। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।
• ସେହିପରି ୨୦୧୪ରେ ରସୁଲଗଡ଼ ଓଭରବ୍ରିଜ୍ ସ୍ଲାବ ଖସି ଜଣଙ୍କର ମୃତ୍ୟୁ ଘଟିଥିଲା । ଏ ଦୁଇଟି ଘଟଣା ରାତିରେ ଘଟିଥିବାରୁ ଘଟଣା ଏତେଟା ଚର୍ଚା ହୋଇ ନ ଥିଲା।
• ୨୦୧୨ରେ ଜୟଦେବ ବିହାର ଓଭରବ୍ରିଜ୍ରୁ ଦୁଇ ଦୁଇ ଥର ସ୍ଲାବ ଖସିଥିଲା। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଘଟଣା ରାଜଧାନୀରେ ଚର୍ଚାର ବିଷୟ ହୋଇଥିଲା। ରାସ୍ତା ଘାଟ ଜାମ ହୋଇ ଯାଇଥିଲା ।
• ୨୦୧୭,ସେପ୍ଟେମ୍ବର ୧୦ତାରିଖରେ ବମିଖାଲ ଓଭରବ୍ରିଜ୍ର ସ୍ଲାବ୍ ଖସିପଡ଼ିବାରୁ ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତାଙ୍କ ଝିଅ ଶୀତଲଙ୍କ ସମେତ ୧୫ଜଣ ଆହତ ହୋଇଥିଲେ ।
ଉଚ୍ଚସ୍ତରୀୟ ତଦନ୍ତ ହେବ: ଜିଲ୍ଲାପାଳ
ବମିଖାଲ ଓଭରବ୍ରିଜ୍ ଅଘଟଣ ଘଟିବା ପରେ ମୃତ ଓ ଆହତମାନଙ୍କୁ ଭେଟିବାକୁ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଆହତମାନଙ୍କ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବା ସହିତ ସଂପୃକ୍ତ ନିର୍ମାଣକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସେ ପୂର୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ନିଜ ଆଡ଼ୁ ମାମଲା ରୁଜୁ କଲା ପୁଲିସ
ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜର ରଡ୍ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଓ ଦୁଇ ଜଣ ଗୁରୁତର ହେବା ଘଟଣାକୁ କମିସନରେଟ୍ ପୁଲିସ ଗୁରୁତର ସହ ନେଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ମୃତ୍ୟୁ ପାଇଁ ଦାୟୀ, ସରକାରୀ କାର୍ଯ୍ୟରେ ଖିଲାପ, ଠକେଇ, ଅବହେଳା ଭଳି ସଂଗିନ ଦଫାରେ ମାମଲା ରୁଜୁ ହୋଇଛି। ଖୁବ ଶୀଘ୍ର ଓଭରବ୍ରିଜ୍ ନିର୍ମାଣ କରୁଥିବା ପଣ୍ଡା ଇନ୍ଫ୍ରାଷ୍ଟ୍ରକଚର୍ ସଂସ୍ଥା ଓ ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେହିପରି ଗତକାଲି ରାତିରେ ପୁଲିସର ଏକ ଟିମ୍ ଓଭରବ୍ରିଜ୍ ନିର୍ମାଣକରୁଥିବା ସଂସ୍ଥା ପଣ୍ଡା ଇନଫାଷ୍ଟ୍ରକଚର୍ ଉପରେ ଚଢ଼ଉ ଆରମ୍ଭ କରିଛି।
ବିଜେପି ଓ କଂଗ୍ରେସର ବିକ୍ଷୋଭ
ବମିଖାଲ ଓଭରବ୍ରିଜ୍ ନିର୍ମାଣବେଳେ ଲୁହାରଡ୍ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଓ ଦୁଇ ଜଣ ଶ୍ରମିକ ଗୁରୁତର ହେବା ପରେ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ବିଜେପିର ଜଗନ୍ନାଥ ପ୍ରଧାନ ଓ କଂଗ୍ରେସର ମନୋରଂଜନ ଦାସ, ଇତିଶ ପ୍ରଧାନଙ୍କ ସମେତ ଏକାଧିକ ସ୍ଥାନୀୟ ଯୁବକ ସାମିଲ ହୋଇ ନିର୍ମାଣାଧୀନ କାମକୁ ବିରୋଧ କରିଥିଲେ। କହିଥିଲେ ପୂର୍ବରୁ ଏହି ସଂସ୍ଥା କାମ କରିବାବେଳେ ଅଘଟଣ ଘଟିଥିଲା। ପୁଣି ଥରେ ରାଜ୍ୟ ସରକାର ସଂପୃକ୍ତ ସଂସ୍ଥାକୁ କାମ କରିବାକୁ କିପରି ଅନୁମତି ଦେଲେ? ତୁରନ୍ତ କାମ ବନ୍ଦ କରାଯାଉ ଏବଂ ଅନ୍ୟ ସଂସ୍ଥାକୁ କାମ କରିବାକୁ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଅନ୍ୟପକ୍ଷରେ ପୂର୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ନାମରେ ବିଜେପି ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏକ ଏତଲା ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-04-at-8.10.13-AM.png)
/kanak/media/post_attachments/wp-content/uploads/2018/05/1-4-300x200.jpg)
/kanak/media/post_attachments/wp-content/uploads/2018/05/b-300x180.jpg)
/kanak/media/post_attachments/wp-content/uploads/2018/05/c-300x180.jpg)
/kanak/media/post_attachments/wp-content/uploads/2018/05/b-1-300x180.jpg)
/kanak/media/post_attachments/wp-content/uploads/2018/05/a-1-300x180.jpg)
/kanak/media/post_attachments/wp-content/uploads/2018/05/BRIDGECOLLAPSE-300x195.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-04-at-7.20.48-AM-300x225.png)
/kanak/media/post_attachments/wp-content/uploads/2018/05/Screen-shot-2018-05-04-at-7.21.32-AM-300x228.png)
/kanak/media/post_attachments/wp-content/uploads/2018/05/Screen-shot-2018-05-04-at-7.19.29-AM-300x214.png)