ଭରା ନଦୀରେ ବିପଦପୁର୍ଣ୍ଣ ନୌକା ଯାତ୍ରା । ଅସ୍ତରଙ୍ଗ ଦେବୀ ନଦୀରେ ‘ବିଜୁ ସେତୁ’ କାମ ଅଧାରେ ଥିବାରୁ ଡଙ୍ଗାରେ ପାଣି ପାରି ହେଉଛନ୍ତି ଲୋକେ, ସଂପୃକ୍ତ ଠିକା ସଂସ୍ଥାର ଟେଣ୍ଡର ବାତିଲ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ।

175

କନକ ବ୍ୟୁରୋ: ହୀରାକୁଦ ଡ୍ୟାମ ରୁ୨୦ଟି ଗେଟ ଖୋଳାଯିବାପରେ ଦେବୀ ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ବ୍ଲକର ଲୋକେ ଆତଙ୍କିତ ହୋଇ ଉଠିଛନ୍ତି । କିନ୍ତୁ ଦେବୀ ନଦୀରେ ଯାତ୍ରୀ ପରିବହନ ପାଇଁ ପ୍ରାୟ ୫ଟି ଫେରି ଘାଟ ଚାଲିଛି । ହେଲେ ନଦୀରେ ବନ୍ୟାଜଳ ଅଧିକ ସ୍ରୋତରେ ପ୍ରବାହିତ ହୋଇଥିବାରୁ ଦଙ୍ଗାରେ ଅତ୍ୟନ୍ତ ବିପଦ ସଂକୁଳ ଭାବେ ଯାତ୍ରୀ ପରିବହନ କରାଯାଉଛି । ବିନା ଲାଇଫ ଜ୍ୟାକେଟ ରେ ଯାତ୍ରୀଙ୍କୁ ପରିବହନ କରାଯାଉଛି । ଯେଉଁଥିରେ ଗାଡି ସେଇଥିରେ ଯାତ୍ରୀ।କିଛି ଅଘଟଣ ଘଟିଲେ ପ୍ରଶାସନ କରିବ କଣ ?

ସୁଅ ମୁହଁରେ ଜୀବନ । ନଦୀର ପ୍ରଖର ସ୍ରୋତକୁ କାଟି ଆଗକୁ ବଢୁଛି ଯାତ୍ରୀବାହୀ ଡଙ୍ଗା । ଆପଣ ଦେଖୁଛନ୍ତି, ପୁରୀ ଓ ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଦେବୀ ନଦୀର ଦୃଶ୍ୟ । ନଦୀରେ ଏବେ ବନ୍ୟାଜଳ କ୍ଷିପ୍ର ଗତିରେ ପ୍ରବାହିତ ହେଉଛି । ଆଉ ଏହି ଭରା ନଇରେ ନୌକା ଯାତ୍ରାକୁ ଦେଖିଲେ ଭୟ ଲାଗୁଛି । ତଥାପି ଜୀବନକୁ ପାଣି ଛଡାଇ ପୁରୀ ଜିଲ୍ଲା ତାଳଦା ପଂଚାୟତର ଲୋକ ଡଙ୍ଗାରେ ବାଇକ୍ ଓ ସାଇକେଲ ଲଦି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି । ଦ୍ୱିପାଂଚଳବାସୀ ବର୍ଷ ବର୍ଷ ଧରି ଏମିତି ବଢିଲା ନଇରେ ଜୀବନକୁ ପାଣି ଛଡେଇ ପାରି ହୁଅନ୍ତି । କାରଣ ସାଧାରଣ ଜୀବନ ଯାପନ ପାଇଁ ଲୋକଙ୍କୁ ନଦୀ ପାରି ହେବାକୁ ହିଁ ପଡେ । ତେବେ ଯାତ୍ରୀଙ୍କୁ ପାଣି ପାରି କରାଉଥିବା ଡଙ୍ଗାର ଲାଇସେନ୍ସ ନଥିବା ବେଳେ ଯାତ୍ରାଙ୍କ ପାଇଁ ଲାଇଫ ଜ୍ୟାକେଟ୍ ବି ନାହିଁ । ଏଭଳି ସ୍ଥିତିରେ ଯଦି ବି କିଛି ଅଘଟଣ ଘଟେ ତେବେ ଲୋକଙ୍କ ଜୀବନ ବଂଚାଇବା କଷ୍ଟକର ହୋଇପଡିବ ।

ଗାଁରୁ ବାହାରି ବ୍ଲକ ଅଫିସକୁ ଯିବା ପାଇଁ ସ୍ଥଳପଥ ନଥିବାରୁ ଜଳପଥ ଦେଇ ଏମିତି ଯାତ୍ରା କରନ୍ତି ଦ୍ୱିପାଂଚଳବାସୀ । ତଳଦା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ୨୦୧୩ ମସିହାରୁ ବିଜୁ ସେତୁ ନିର୍ମାଣ କରାଯାଉଛି । ହେଲେ ଏଯାଏଁ ପୋଲ କାମ ସରିନାହିଁ । ଆହୁରି ୨ଟି ପିଲାର କାମ ବାକି ଥିବାରୁ ବିଜୁ ସେତୁ ଲୋକଙ୍କ କାମରେ ଆସୁନି । ଫଳରେ ଲୋକେ ବିପଦକୁ ସାଥି କରି ଦେବୀ ନଦୀ ପାରି ହେଉଛନ୍ତି । ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ପୋଲ ନିର୍ମାଣ କରୁଥିବା ଠିକା ସଂସ୍ଥାର ଟେଣ୍ଡର ବାତିଲ କରି ନୂଆ ଠିକା ସଂସ୍ଥାକୁ କାମ ଦେଇ ପୋଲ ନିର୍ମାଣ ସାରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦେଶ ଦିଆଯାଇଥିବା ଟ୍ୱିଟ୍ କରି ଜଣାଇଛନ୍ତି ଏସଆରସି ପ୍ରଦୀପ ଜେନା । ଯେତେ ଶୀଘ୍ର ଦେବୀ ନଦୀ ଉପରେ ବିଜୁ ସେତୁ ନିର୍ମାମ ହେବ ସେତେ ଶୀଘ୍ର ତାଳଦା ଦିପାଂଚଳବାସୀଙ୍କ ଦୁଃଖ ଦୂର ହେବ ବୋଲି ଆଶା କରାଯାଉଛି ।