କରୋନାର ତୃତୀୟ ଲହରକୁ ନେଇ ସତର୍କ କଲେ ଡାକ୍ତର । କହିଲେ, ତୃତୀୟ ଲହରରେ ପିଲାଙ୍କୁ ବିପଦ, ତୁରନ୍ତ ଟିକା ନିଅନ୍ତୁ ବାପା, ମାଆ

232

କନକ ବ୍ୟୁରୋ: ଥରକୁଥର କରୋନା ତାର ରୂପ ବଦଳାଇ ବିଭିନ୍ନ ବୟସବର୍ଗଙ୍କୁ ଟାର୍ଗେଟ କରୁଛି । ପ୍ରଥମ ଲହରରେ ଏହା ବୟସ୍କମାନଙ୍କୁ ଅଧିକ ପ୍ରଭାବିତ କରିଥିଲା, ଯଦିଓ ଯୁବବର୍ଗଙ୍କ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିଲା । ଦ୍ୱିତୀୟ ଲହର ବେଳକୁ ଏହା ଯୁବପିଢୀଙ୍କୁ ଅଧିକ ପ୍ରଭାବିତ କରୁଛି । ଘରର ରୋଜଗାରିଆ ବ୍ୟକ୍ତିଙ୍କୁ ହସ୍ପିଟାଲ ବେଡକୁ ନେଇଯାଉଛି । ଅବସ୍ଥା ଗୁରୁତର ହେଲେ ମୃତ୍ୟୁ ମଧ୍ୟ ହେଉଛି । ତେଣୁ ଆଶଙ୍କା କରାଯାଉଛି କରୋନାର ତୃତୀୟ ଲହର ପିଲାମାନଙ୍କୁ ଅଧିକ ଆକ୍ରମଣ କରିପାରେ । ଏଭଳି ଆଶଙ୍କା ପଛରେ ଯଥେଷ୍ଟ ଯୁକ୍ତି ବି ରହିଛି ।

ଦେଶର ପ୍ରତିଷ୍ଠିତ ହୃଦରୋଗ ବିଶେଷଜ୍ଞ ତଥା ନାରାୟଣ ହୃଦୟାଳୟର ପ୍ରତିଷ୍ଠାତା ଡାକ୍ତର ଦେବୀ ସେଠୀଙ୍କ କହିବା ହେଲା, ଅଧିକାଂଶ ଯୁବବର୍ଗ କରୋନାରେ ଆକ୍ରାନ୍ତ ହୋଇସାରିଲେଣି କିମ୍ବା ତୃତୀୟ ଲହର ବେଳକୁ ଟିକା ନେଇସାରିବେଣି । କିନ୍ତୁ ୧୮ ବର୍ଷରୁ ତଳକୁ ଟିକା ନେବାର ବ୍ୟବସ୍ଥା ନଥିବାରୁ ଏଥର ସେହିମାନେ ଭୂତାଣୁର ଟାର୍ଗେଟ ପାଲଟିବେ ।

ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା, ଦେଶରେ ପିଲା କରୋନା ଆକ୍ରାନ୍ତ ହେଲେ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବା ନେଇ ଏକ ବଡ ସମସ୍ୟା ରହିଛି ।
ପିଲାଙ୍କୁ କରୋନା ହେଲେ କ’ଣ ହେବ?
– ଆମ ଦେଶରେ ୧୨ ବର୍ଷରୁ କମ୍ ବୟସର ପ୍ରାୟ ୧୬ କୋଟି ୫୦ ଲକ୍ଷ ପିଲା ଅଛନ୍ତି
– ସେମାନଙ୍କ ଭିତରୁ ମାତ୍ର ୫% ଗୁରୁତର ହେଲେ ୧ ଲକ୍ଷ ୬୫ ହଜାର ପେଡିଆଟ୍ରିକ ଆଇସିୟୁ ଦରକାର
– ଏବେ ବୟସ୍କଙ୍କ ପାଇଁ ୯୦ ହଜାର ଓ ପିଲାଙ୍କ ପାଇଁ ୨ ହଜାରରୁ ବି କମ୍ ଆଇସିୟୁ ବେଡ ସହ ଆମେ ସଂଘର୍ଷ କରୁଛେ
– ତେଣୁ ଆମେ ପିଲାଙ୍କୁ ନଜରରେ ରଖି କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ହେବାକୁ ପଡିବ

୬ ମାସର କିମ୍ବା ବର୍ଷକର ଛୁଆ କରୋନା ଆକ୍ରାନ୍ତ ହେଲେ, ତାକୁ ଏକୁଟିଆ କରୋନା ହସ୍ପିଟାଲରେ ଛାଡି ଦେଇ ହେବ କି? ଛୋଟ ଛୁଆର ହସ୍ପିଟାଲରେ ଚିକିତ୍ସା ବେଳେ ବାପା,ମାଆଙ୍କ ଭିତରୁ କେହି ପାଖରେ ରହିବାକୁ ପଡିବ ।

ଗୋଟିଏ ପଟେ ଆମ ପାଖରେ ଡାକ୍ତର, ନର୍ସଙ୍କ ଘୋର ଅଭାବ ରହିଛି । ଅନ୍ୟପଟେ ଖୀର ଖାଉଥିବା ଛୁଆ ସହିତ ମାଆକୁ ବି ହସ୍ପିଟାଲ ଆଇସିୟୁରେ ରହିବାକୁ ପଡିବ । ଛୋଟଛୁଆ କିଭଳି ମୁହଁରୁ ଅକ୍ସିଜେନ ମାସ୍କ କାଢିନଦିଏ, ତାକୁ ଜଗିବାକୁ ପଡିବ । ତେଣୁ ବିଶେଷଜ୍ଞ ଡାକ୍ତର କହିଛନ୍ତି ତୃତୀୟ ଲହରି ପାଇଁ ପ୍ରସ୍ତୁତି କରିବାକୁ ହେଲେ ପ୍ରଥମେ ପିଲାଙ୍କ ବାପା, ମାଆଙ୍କ ଟିକାକରଣ କରିବାକୁ ପଡିବ । ଏଥିପାଇଁ ଆମକୁ ଆଗାମୀ କିଛିାସ ମଧ୍ୟରେ ପ୍ରାୟ ୩୦ କୋଟି ବାପା, ମାଆଙ୍କ ଟିକାକରଣ ସାରିବାକୁ ପଡିବ ।