ଦଣ୍ଡମୁକ୍ତ ହେଲା ଦଣ୍ଡିପଦର : ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ମନରେ କମୁଛି ମାଓ ଭୟ

118

କନକ ବ୍ୟୁରୋ : ଦଣ୍ଡମୁକ୍ତ ହେଲା ଦଣ୍ଡିପଦର । ଦିନେ ଯେଉଁ ଦଣ୍ଡିପଦର ମାଓବାଦୀଙ୍କ ଦଣ୍ଡବିଧାନ ପାଇଁ ଚର୍ଚ୍ଚାରେ ରହି ଆସୁଥିଲା, ସେହି ଦଣ୍ଡିପଦର ଏବେ ଦଣ୍ଡମୁକ୍ତ ହୋଇଛି । ଏହି ଅଂଚଳରେ ଆଗରେ ମାଓବାଦୀଙ୍କ ପ୍ରଭାବ ରହିଥିଲା । ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଥିଲା । ଏପରିକି ଲୋକଙ୍କୁ ଟିଭି ବ୍ୟବହାର କରିବାକୁ ଦେଉନଥିଲେ ମାଓବାଦୀ । ପରିସ୍ଥିତି ଏମିତି ଥିଲା ଯେ, ଗାଁର ଯୁବକମାନେ ଗାଁର ବାହାରକୁ ଯିବାକୁ ମଧ୍ୟ ଅନୁମତି ଦେଉନଥିଲେ ଲାଲବାହିନୀ ।

ମାଓବାଦୀଙ୍କ ଭୟରେ ଲୋକମାନେ ଏଠାରେ ହନ୍ତସନ୍ତ ଜୀବନ ବିତାଉଥିଲେ । କାରଣ କଥା କଥାରେ ମାଓବାଦୀମାନେ ପ୍ରଜାକୋର୍ଟ ବସାଇ ଦଣ୍ଡ ଦେଉଥିଲେ । ହେଲେ ଏବେ ସେଠାରେ ସ୍ଥିତି ସୁଧିରିଛି । ବିଳମ୍ବରେ ହେଲେ ବି ସେଠାରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ପହଞ୍ଚିବା ଆରମ୍ଭ କରିଛି । ମାଲକାନଗିରି ପୋଲିସ୍ ଏକ ଜନସମ୍ପର୍କ ଶିବିର ଆୟୋଜନ କରିଛି ।

ଏସପି ନୀତେଶ ୱାଧୱାନୀ ଏଥିରେ ସାମିଲ ହୋଇଥିବା ବେଳେ ଗ୍ରାମବାସୀଙ୍କୁ ସ୍ମାର୍ଟ ଟିଭି, ଛତା ଓ ପୋଷାକ ପୋଲିସ୍ ପକ୍ଷରୁ ଦିଆଯାଇଛି । ଲୋକେ ବି ଜନସମ୍ପର୍କ ଶିବିରକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଗୀତ ଓ ନାଚ ମାଧ୍ୟମରେ ସେମାନେ ପୋଲିସ୍ କର୍ମୀଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ଏହାସହ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି ।