ଚୈତ୍ର ମାସର ପରମ୍ପରା । ଢୋଲ ମହୁରୀ ସାଙ୍ଗକୁ ଝାଞ୍ଜରେ କମ୍ପୁଛି ପରିବେଶ । ଦଣ୍ଡ ଯାତ୍ରାରେ ଲାଗିଛି ଦଣ୍ଡୁଆଙ୍କ ଭିଡ

100

କନକ ବ୍ୟୁରୋ: ଚୈତ୍ର ମାସରେ ନିଆରା ପୂଜା । ଢୋଲ, ମହୁରି ଆଉ ଝାଞ୍ଜରେ କମ୍ପୁଛି ପରିବେଶ । ସବୁଠି ନଜରକୁ ଆସୁଛନ୍ତି ମାନସିକଧାରି ଦଣ୍ଡୁଆ ମାନେ । ନିଜର ମନସ୍କାମନା ପୁରଣ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଦଣ୍ଡ ଯାତ୍ରାରେ ମାଆ ରୁଦ୍ରକାଳୀଙ୍କ ଶରଣାପନ୍ନ ହୋଇଛନ୍ତି ଶ୍ରଦ୍ଧାଳୁ ମାନସିକଧାରୀ । ଏମାନେ ୧୬ ପ୍ରକାରର ଦଣ୍ଡ ଭୋଗି ମା’ଙ୍କ ସେବା କରିଥାନ୍ତି । ଏପରିକି ଦଣ୍ଡୁଆ ମାନେ ପୂରା ନିଷ୍ଠାର ସହ ରହିଥାନ୍ତି ।

ଦିନ ସାରା ଉପବାସ ରହୁଥିବା ଦଣ୍ଡୁଆ ମାନେ ଖରାବେଳର ଧୁଳି ଦଣ୍ଡ ସରିବା ପରେ ସନ୍ଧ୍ୟା ସମୟରେ ଜଳ ତୁଠରେ ସାମାନ୍ୟ ପଣା ପାନ କରିଥାନ୍ତି । ପରେ ସନ୍ଧ୍ୟା ଆଳତି ପରେ ରାତ୍ର ଭୋଜନର ବ୍ୟବସ୍ଥା ହୋଇଥାଏ । ରାତ୍ର ପ୍ରାୟ ୧୨ ପରେ ଅଫୁଟା,ଅବଟା ଓ ଅକଟା ନିତିରେ ପ୍ରସ୍ତୁତ କରାଯାଇଥିବା ଅନ୍ନକୁ ଖାଇଥାନ୍ତି । ତାହା ପୁଣି ଅତ୍ୟନ୍ତ ନିଷ୍ଠାର ସହ ତା ପରଦିନ ରାତି ପର୍ଯ୍ୟନ୍ତ । ସବୁଠୁୁ ବଡ କଥା ହେଲା ଏହି ଦଣ୍ଡୁଆ ମାନେ ଗୋଟିଏ ଗାଁରୁ ଅନ୍ୟ ଗାଁ କୁ ଗଲେ ଚୈତ୍ରମାସର ଟାଣ ଖରାରେ ଖାଲିପାଦରେ ଯାଇଥାନ୍ତି । ଦିନ ସାରା ନିଷ୍ଠାର ସହ ରହିଥାନ୍ତି ।

ରାତ୍ର ଭୋଜନ ପରେ ଅଗ୍ନି ଦଣ୍ଡ ଆମ୍ଭହୁଏ । ଝୁଣା ବ୍ୟବହାର କରି ଅଗ୍ନିରେ ବିଭିନ୍ନ ଦୃଶ୍ୟ ସବୁ ଦେଖାଯାଏ । ଗାଁ ଗାଁ ଚହଳ ସୃଷ୍ଟି କରୁଥିବା ଦଣ୍ଡ ଯାତ୍ରାର ଶନିବାର ମାସନ୍ତ ମେରୁ । ଦୀର୍ଘ ୧୩ ଦିନ ଧରି ମାଆ ବିଭିନ୍ନ ଗ୍ରାମ ଭ୍ରମଣ କରିବା ପରେ ଆଜି ନିଜ ସ୍ଥାନକୁ ଫେରିଥାନ୍ତି । ସେଠାରେ ପ୍ରତିଦିନ ଭଳି ଆଜି ମଧ୍ୟ ମାଆଙ୍କର ସମସ୍ତ ନିତିକାନ୍ତି ଶେଷ ହେବା ପରେ ମେରୁ ମଣ୍ଡପରେ ମେରୁ ଉକୁଚା ଯାଇଥାଏ । ତଳେ ଗୋଟିଏ ଅଗ୍ନି କୁଣ୍ଡରେ ଅଗ୍ନି ଜାଳି ତାରି ଉପରେ ପାଟ ଦଣ୍ଡୁଆକୁ ଗୋଟିଏ କାଠ ଉପରେ ମୁଣ୍ଡ ତଳକୁ କାରି ଲଟକା ଯାଇଥାଏ । ଯାହାକୁ ଦେଖିବା ପାଇ ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।
ଦଣ୍ଡଯାତ୍ରାର ବର୍ଷ ବର୍ଷର ପରମ୍ପରା ଚାଲିଆସୁଥିବାବେଳେ ମାନସିକଧାରୀଙ୍କ ସହ ଶହଶହ ଶ୍ରଦ୍ଧାଳୁଙ୍କ ଲାଗିଥାଏ ଗହଳି ।