ରାଜଧାନୀରେ ନାଚିବା ମନା, ବିବାଦରେ ଡ୍ୟାନ୍ସବାର ! ପୋଲିସ କହିଲା ବିନା ଲାଇସେନ୍ସରେ ଡ୍ୟାନ୍ସ ବାର ଚଲାଉଥିବାରୁ କରାଯାଉଛି ରେଡ୍ ।

40

କନକ ବ୍ୟୁରୋ : ଡାନ୍ସ ବାରରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ଚଢାଉ କରୁଥିବା ନେଇ ବାର୍ ସଂଘ ଅଭିଯୋଗ କରିବା ପରେ ଆଜି କମିଶନରେଟ୍ ପୋଲିସ କହିଛି, ବିନା ଲାଇସେନ୍ସରେ ବେଆଇନ୍ ଭାବେ ବାର୍ ଖୋଲାଯାଉଛି । ବିନା ଅନୁମତିରେ ବାର୍ ଖୋଲାଯାଉଥିବାରୁ ପୋଲିସ ରେଡ୍ କରୁଛି । ପୋଲିସ କହିଛି, ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଏକ୍ସସାଇଜ କମିଶନଙ୍କୁ ମଧ୍ୟ ଚିଠି ଲେଖାଯାଇଛି ।

ଗତକାଲି ବାର ମାଲିକ ସଂଘ ଓ ବାରଗର୍ଲଙ୍କ ଏଭଳି ଯୁକ୍ତି ପରେ ମତ ରଖିଛି କମିସନରେଟ ପୁଲିସ । ପୁଲିସ ସିଧା ସିଧା କହିଛି ବିନା ଲାଇସେନ୍ସରେ ବେଆଇନ ଭାବେ ବାର ଖୋଲାଯାଉଛି । ବିନା ଅନୁମତିରେ ଡ୍ୟାନ୍ସ ବାର ଖୋଲାଯାଉଛି, ଯାହାକୁ ନେଇ ପୁଲିସ ରେଡ୍ କରୁଛି । ଆଉ ଏନେଇ ବାର ମାଲିକମାନେ ବି ପୁଲିସକୁ କୌଣସି ପ୍ରମାଣ ଦେଖାଇ ପାରିନାହାଁନ୍ତି ।

ବର୍ଷକ ପାଇଁ ଡ୍ୟାନ୍ସ ବାର ଚଳାଇବାକୁ ଭୁବନେଶ୍ୱର ଏବଂ କଟକରେ ଥିବା କିଛି ବାରକୁ ଲାଇସେନ୍ସ ମିଳିଥିଲା । ବାରମ୍ବାର ବାର ମାଲିକ ଲାଇସେନ୍ସ ପାଇଁ ଆବେଦନ କରାଯାଉଥିଲେ ବି ଏକ୍ସସାଇଜ୍ ପକ୍ଷରୁ ଲାଇସେନ୍ସ ରିନ୍ୟୁଆଲ କରାଯାଇନାହିଁ । ଯାହାକୁ ନେଇ ୭ଜଣ ବାର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ, ମାମଲା ବିଚାରଧୀନ ରହିଛି । ଏହି ମାମଲାରେ ସରକାରଙ୍କୁ ନୋଟିସ ହୋଇଛି, ହେଲେ ସରକାର ଏନେଇ ଉତ୍ତର ରଖିନଥିବା ବାର ମାଲିକ ସଂଘ କହିଛି । ଗୋଟିଏ ପଟେ ଲାଇସେନ୍ସ ରିନ୍ୟୁଆଲ ଏବଂ ଅନ୍ୟପଟେ ବିନା ଲାଇସେନ୍ସରେ ଡ୍ୟାନ୍ସ ବାର ଉପରେ ପୁଲିସର ଚଢାଉକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପୁଲିସ ସହ ବାର ମାଲିକଙ୍କ ଆଲୋଚନା ପରେ ହିଁ ସମାଧାନର ବାଟ ବାହାରିବ ବୋଲି କୁହାଯାଉଛି ।