କନକ ବ୍ୟୁରୋ : କଟକ ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ଦମୟନ୍ତୀ ମାଝୀ । ଦମୟନ୍ତୀ ମାଝୀ ଏକମାତ୍ର ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କାରଣ ପୂର୍ବରୁ ବିଜେପି ଏବଂ କଂଗ୍ରେସ ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ ।  ସେପଟେ ନୂଆ ମେୟର ଭାବେ ଶପଥ ନେଲେ ସୁବାସ ସିଂ । ଆଜି ୧୦୫ ପୌରାଞ୍ଚଳରେ ହେଉଛି ଉପାଧ୍ୟକ୍ଷ ନିର୍ବାଚନ
୫୮ ଏନଏସି ଓ ୪୭ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଆଜି ନିର୍ବାଚନ ହେବ । ଆଜି କଟକ ମହାନଗର ନିଗମ ଡେପୁଟୀ ମେୟର ସହ ଏନଏସି ଓ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ମତଦାନ ହୋଇଛି । ସେହିପରି ଏପ୍ରିଲ ୮ରେ ବ୍ରହ୍ମପୁର ମହାନଗର ନିଗମ ଏବଂ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ପଦ ଲାଗି ମତଦାନ ହେବ । ପୌର ଉପାଧ୍ୟକ୍ଷ ପଦବୀ ପାଇଁ ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନପତ୍ର ଯାଂଚ କରାଯାଇ ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ଗୋଟାଏ ୩୦ରୁ ୩ଟା ୩୦ ମଧ୍ୟରେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ ହେବ । ଏହା ପରେ ଭୋଟ୍ ଗଣତି କରି ଫଳାଫଳ ଘୋଷଣା କରାଯିବ । ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ପୌରସଂସ୍ଥା ଉପଧ୍ୟକ୍ଷ ଓ ମହାନଗର ନିଗମ ଡେପୁଟୀ ମେୟର ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଜଣେ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ । ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ୍ ଦେଖାଇ ଭୋଟ ଦେବେ ।