ବାପାଙ୍କୁ ଅନୁସରଣ କଲେ ଝିଅ । ବ୍ୟକ୍ତିିଗତ କାରଣ ଦର୍ଶାଇ ବିଜେଡି ଛାଡିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା । ପୁଅ ସମ୍ବିତଙ୍କୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ

386

କନକ ବ୍ୟୁରୋ: ଦାମ ରାଉତ ପଦ୍ମ ଧରିବା ପରେ ତାଙ୍କୁ ଅନୁସରଣ କରିଛନ୍ତି ଝିଅ ପ୍ରତିନନ୍ଦା ରାଉତରାୟ । ବ୍ୟକ୍ତିିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ପ୍ରୀତିନନ୍ଦା । ବିଏମସି କର୍ପୋରେଟର ଭାବେ ବିଜେଡିରୁ ଜିତିଥିଲେ ପ୍ରୀତିନନ୍ଦା । ଗୋଟିଏ ପଟେ ପୁଅ ସମ୍ବିତ ବିଜେଡି ଟିକେଟ୍ ପାଇଁ ଲବି କରୁଥିବା ବେଳେ ଝିଅ ପ୍ରୀତିନନ୍ଦା ବିଜେଡି ଛାଡିଛନ୍ତି । ଫଳରେ ରୋଚକ ସ୍ଥିତିରେ ପହଁଚିଛି ଦାମବାବୁଙ୍କ ପରିବାରିକ ରାଜନୀତି । ପ୍ରୀତିନନ୍ଦା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସମ୍ବିତଙ୍କୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।

ବାପାଙ୍କ ପଛେ ପଛେ ଝିଅ । ପଦ୍ମ ଶିବିରରେ ବରିଷ୍ଠ ନେତା ଦାମ ରାଉତ ସାମିଲ ହେବା ପରେ ବିଜେଡି ଛାଡ଼ିଛନ୍ତି ଝିଅ ପ୍ରୀତିନନ୍ଦା ରାଉତରାୟ । ଦଳର ପ୍ରାଥମିକ ସଦସ୍ୟରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ପ୍ରୀତିନନ୍ଦା । ତେବେ ପ୍ରୀତିନନ୍ଦା ତାଙ୍କ ଇସ୍ତଫା ପତ୍ରରେ ବିଜେଡି କିମ୍ବା ସୁପ୍ରିମୋଙ୍କ ବିରୋଧରେ କୌଣସି ଅଭିଯୋଗ ଆଣିନାହାନ୍ତି । ବରଂ ତାଙ୍କୁ ବିଏମସି କର୍ପୋରେଟର ହେବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାବେ ବିଜେଡି ଟିକେଟରେ ଜିତିଥିଲେ ପ୍ରୀତିନନ୍ଦା ରାଉତରାୟ । ଦାମ ରାଉତ ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ଦଳରେ ରହିଥିଲେ ପ୍ରୀତିନନ୍ଦା । ତେବେ ଦାମ ରାଉତ ବିଜେପିରେ ଯୋଗ ଦେବା ପରେ ବିଜେଡି ଛାଡିଛନ୍ତି ଝିଅ । ଡାକ୍ତର ଦାମ ରାଉତ ବିଜେପିରେ ଯୋଗ ଦେବା ପୂର୍ବରୁ ଚର୍ଚ୍ଚା ହେଉଥିଲା, ଦାମଙ୍କ ଅଭିଯାନରେ ରୋକ ଲଗାଇବା ପାଇଁ ବିଜେଡି ଶିବିର ଜୋରଦାର ଉଦ୍ୟମ କରିଥିଲା । ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ପୁଅ ସମ୍ବିତଙ୍କୁ ପାରାଦୀପ ଟିକେଟ୍ ଓ ଝିଅ ପ୍ରୀତିନନ୍ଦାଙ୍କୁ ଭୁବନେଶ୍ୱର ମେୟର ପଦବୀ ଅଫର୍ ଦେଇଥିଲା ବିଜେଡି ।

ତେବେ ଦାମ ବାବୁ ତାଙ୍କ ଜିଦ୍ରେ ଅଟଳ ରହି ବିଜେପିରେ ଯୋଗ ଦେଇଥିଲେ । ବାପାଙ୍କ ପଦ ଅନୁସରଣ କରି ଝିଅ ପ୍ରୀତିନନ୍ଦା ଦଳ ଛାଡ଼ିଛନ୍ତି । ପ୍ରୀତିନନ୍ଦା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୁଅ ସମ୍ବିତ ରାଉତରାୟଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ତାଙ୍କର ରାଜନୈତିକ ପଦକ୍ଷେପ କ’ଣ ହେବ, ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।