ଧର୍ମେନ୍ଦ୍ରଙ୍କୁ ଭେଟିଲେ ଦାମ: ବିଜେପିରେ ମିଶିବା ନେଇ ରଖିଲେ ସର୍ତ୍ତ, କହିଲେ, ଯିଏ ନବୀନଙ୍କୁ ହରାଇବା ପାଇଁ କାମ କରିବ ମୁଁ ତା’କୁ ପୂର୍ଣ୍ଣପ୍ରାଣରେ ସହଯୋଗ କରିବି

1,202

କନକ ବ୍ୟୁରୋ: ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଦାମୋଦର ରାଉତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଗତକାଲି ଶ୍ରୀ ରାଉତ ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛନ୍ତି। ବିଜେପିରେ ମିଶିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କଥାକୁ ଶ୍ରୀ ରାଉତ ସ୍ବୀକାର କରିଥିଲେ ବି ତାହା ଚୂଡ଼ାନ୍ତ ହୋଇ ନାହିଁ ବୋଲି କହିଛନ୍ତି। ଆସନ୍ତା ସପ୍ତାହରେ ହିଁ ଏ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ଗତକାଲି ପୂର୍ବାହ୍ନରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଶ୍ରୀ ରାଉତ ନୂଆଦିଲ୍ଲୀ ଯାଇଥିଲେ। ସେଠାରେ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ। ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇ ନ ଥିଲା। ଶ୍ରୀ ରାଉତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବା ନେଇ ଚର୍ଚ୍ଚା ହେଉଥିଲେ ବି ସାକ୍ଷାତ ହୋଇ ନ ଥିବା ଜଣାପଡ଼ିଛି। ସନ୍ଧ୍ୟାରେ ଶ୍ରୀ ରାଉତ ଭୁବନେଶ୍ବର ଫେରିଲା ପରେ ତାଙ୍କ ବାସଭବନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ପ୍ରତିକ୍ରିୟା ଦେଇଥିଲେ।

ସେ କହିଥିଲେ, ଯିଏ ନବୀନ ପଟ୍ଟନାୟକଙ୍କୁ ହରାଇବା ପାଇଁ କାମ କରିବ ମୁଁ ତା’କୁ ପୂର୍ଣ୍ଣପ୍ରାଣରେ ସହଯୋଗ କରିବି। ଦୁଇ ଦିନ ତଳେ କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ମୋତେ ଭେଟି ବିଜେପିରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ କଂଗ୍ରେସ ପକ୍ଷରୁ ମୋତେ ମିଶିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମୁଁ କଂଗ୍ରେସ ସାମ୍ନାରେ ଯେମିତି ସର୍ତ୍ତ ରଖିଥିଲି, ସେମିତି ବିଜେପି ସାମ୍ନାରେ ବି କିଛି ସର୍ତ୍ତ ରଖିଲି। ପ୍ରଥମ ଓ ପ୍ରଧାନ ସର୍ତ୍ତ ଥିଲା ନବୀନ ପଟ୍ଟନାୟକଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଯିଏ ଉଦ୍ୟମ କରିବ ମୁଁ ତାକୁ ସହଯୋଗ କରିବି। ଏହା ସହ ଆଉ କିଛି ସର୍ତ୍ତ ଥିଲା। ଏ ସମ୍ପର୍କରେ ସାନି ଆଲୋଚନା ପାଇଁ ଗତକାଲି ଶ୍ରୀ ସିଂହଦେଓଙ୍କ ସହ ନୂଆଦିଲ୍ଲୀ ଯାଇଥିଲି। ସେଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଆଲୋଚନା ହେଲା ଓ ମୁଁ ସର୍ତ୍ତ ସମ୍ପର୍କରେ କହିଥିଲି। ସେ ଦୁଇ ଦିନ ଭିତରେ ଏ ନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ମୋତେ ଜଣାଇବେ। ୩/୪ ଦିନ ଭିତରେ ଯାହା ଘଟିବା କଥା ଘଟିବ।