ଦାମ ବିଜେପିରେ ମିଶିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଲେ ପୁଅ ସମ୍ବିତ ରାଉତ । କହିଲେ, ବାପା ଯଦି ବିଜେପିରେ ମିଶନ୍ତି , ମୋତେ ବିଜେଡିରୁ ଟିକେଟ ମିଳିବାରେ ଅସୁବିଧା ହେବନି

ସେପଟେ କଂଗ୍ରେସରେ ସାମିଲ ହୋଇପାରନ୍ତି ନବୀନ ନନ୍ଦ

437

କନକ ବ୍ୟୁରୋ: ଦାମୋଦର ରାଉତଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପୁଅ ସମ୍ବିତ ରାଉତ । କହିଛନ୍ତି ଡକ୍ଟର ଦାମୋଦର ରାଉତ ଏବେ ସ୍ୱାଧୀନ । ସେ ନିଜ ନିଷ୍ପତି ନେଇପାରିବେ । ସେ ଅନ୍ୟ ଦଳରେ ମିଶିଲେ ଆମ ବାପ-ପୁଅ ସଂପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କେବଳ ଆମ ଭିତରେ ବିଚାରବୋଧର ଭିନ୍ନତା ରହିବ ବୋଲି କହିଛନ୍ତି ସମ୍ବିତ ରାଉତ । ସମ୍ବିତ ଆହୁରୀ ମଧ୍ୟ କହିଛନ୍ତି କି, ଦାମ ବାବୁ ଟିକେଟ୍ ଆଶାୟୀ ନୁହଁନ୍ତି, ସେ ଜଣେ ବହୁତ ବଡ ଫ୍ୟାକ୍ଟର, ସେ ଏଭଳି ଜଣେ ନେତା , ସେ ଯେଉଁଠିକୁ ଯିବେ ସେ ଦଳ ପାଇଁ ଭଲ ହେବ ବୋଲି କହିଛନ୍ତି ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତ ।

ସେପଟେ ନବୀନ ନନ୍ଦ କଂଗ୍ରେସରେ ସାମିଲ ହେଉଥିବା ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ ଗତ ରାତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ନବୀନ ନନ୍ଦ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ କହିଛନ୍ତି, ସବୁ ଦଳ ସହ ଯୋଗାଯୋଗରେ ରହିଛି । ରାଜ୍ୟରେ ଥିବା ୨ଟି ଜାତୀୟସ୍ତରର ଦଳରୁ ଅଫର ବି ଆସିଛି । ହେଲେ ବିଜେଡିକୁ ପରାସ୍ତ କରିପାରୁଥିବା ଦଳ ସହ ରହିବୁ ବୋଲି କହିଛନ୍ତି ନବୀନ ନନ୍ଦ ।

ବିଜେପିରେ ସାମିଲ୍ ହେବେ କି ଦାମ ରାଉତ ? ଏନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦାମ ଏକ ଇଶାରା ଦେଇଛନ୍ତି । ଦାମ କହିଛନ୍ତି, ସେ ଚାହିଁଲେ ପାରାଦୀପରେ ପଦ୍ମ ଫୁଟାଇ ପାରିବେ । ୩ ଦିନ ଭିତରେ ଏନେଇ ନିଷ୍ପତି ନେବେ । ବ୍ୟକ୍ତିଗତ କଥା ଭୁଲି ଜନସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତି ନେବେ ବୋଲି ସେ କହିଛନ୍ତି । ଏହାସହ ବୈଜୟନ୍ତ ବିଜେପିରେ ମିଶିବା କଥା ମଧ୍ୟ ଉଠାଇଛନ୍ତି । ବୈଜୟନ୍ତ ବିଜେପିରେ ମିଶିବା ପରେ ବଡ଼ ପଦବୀ ପାଇଥିବା ଦାମ କହିଛନ୍ତି । ଚାରି ଦଶନ୍ଧି ଧରି ରାଜନୀତିରେ ଅଛି, କାହାର କର୍ମୀ କି କାହାର ନେତା ହେବି ସେ ଭାବୁଛନ୍ତି ବୋଲି ଦାମ କହିଛନ୍ତି । ଗତକାଲି ସେ ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ । ଏହାପରେ ଗତ ରାତିରେ ପିସିସି ସଭାରତି ନିରଞ୍ଜନ ପଟ୍ଟନାୟକ ଦାମୋଦର ରାଉତଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି ।