ବିଜେଡିରୁ ବିଦା ହୋଇପାରନ୍ତି ଦାମ ! ବହିଷ୍କାର ପାଇଁ ଫିଟୁଛି ବାଟ, ନବୀନ କହିଲେ ଅଭିଯୋଗର ବିଚାର କରିବେ ।

38

କନକ ବ୍ୟୁରୋ : ବିଜେଡିରୁ ବିଦା ହୋଇପାରନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଦଳରୁ ଦାମଙ୍କୁ ବହିଷ୍କାର କରିବା ଲାଗି ଜଗତସିଂହପୁର ଜିଲ୍ଲା ବିଜେଡିର ଅନେକ କର୍ମୀ ଓ ନେତା ତାଙ୍କ ବିରୋଧରେ ଫେରାଦ ହୋଇଛନ୍ତି । ଦାମ ଦଳ ବିରୋଧୀ କାମ କରୁଥିବା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି । ତେବେ ଅଭିଯୋଗର ବିଚାର କରୁଥିବା ନେଇ ନବୀନଙ୍କ ପ୍ରତିକ୍ରିୟା ପରେ ଦାମଙ୍କ ଭବିଷ୍ୟତ ନେଇ ସନ୍ଦେହ ବଢିବାରେ ଲାଗିଛି । ମନ୍ତ୍ରୀପଦ ଓ ଦଳୀୟ ପଦ ପଦବୀରୁ ବିଦା ହୋଇସାରିଥିବା ଦାମୋଦର ରାଉତ, ଦଳର ସଭ୍ୟ ପଦ ହରାଇ ପାରନ୍ତି ବୋଲି ଆଶଙ୍କା ବଢିଯାଇଛି ।

ବିିଜେଡିରୁ ବିଦା ହେବେ ଦାମ? ବହିଷ୍କାର ପାଇଁ ଫିଟୁଛି ବାଟ । ଏରସମା-ବାଲିକୁଦା ଅଂଚଳର ଶତାଧିକ କର୍ମୀ ଓ ନେତା ନବୀନ ନିବାସ ଆସି ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ବିରୋଧରେ ଫେରାଦ ହୋଇଛନ୍ତି । ଜଗତସିଂହପୁରରେ ଦାମ ଦଳ ବିରୋଧୀ କାର୍ଯ୍ୟ କଳାପରେ ଲିପ୍ତ ଅଛନ୍ତି । ଦଳକୁ ଦୁର୍ବଳ କରିଦେବା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି । ଏପରିକି କଂଗ୍ରେସ ଓ ବିଜେପି ସହିତ ସଂପର୍କ ରଖି ଦଳୀୟ କର୍ମୀଙ୍କ ମନୋବଳକୁ ଦୁର୍ବଳ କରିଦେଉଥିବା ବିଜେଡି ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ପାଇବା ପରେ ନବୀନ କହିଛନ୍ତି ସେ ବିଚାର କରୁଛନ୍ତି ।

ବିଜେଡିରେ ଥାଇ ପରସ୍ପରର ଘୋର ବିରୋଧୀ ଭାବେ ଜଣାଶୁଣା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ବିଷ୍ଣୁ ଦାସ । ଦାମଙ୍କ କାର୍ଯ୍ୟକଳାପ ନେଇ ଅନେକ ସମୟରେ ସିଧାସଳଖ ଟିକା ଟିପ୍ପଣୀ କରିଆସୁଥିବା ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମୋଙ୍କୁ ସୁପାରିସ କରିଛନ୍ତି । ନବୀନଙ୍କୁ ଭେଟି ଦାମଙ୍କ କାରନାମାର ଲମ୍ବା ଅଭିଯୋଗ ଧରାଇଛନ୍ତି । ଯେଉଁଥିରେ ଆଉ ଦୁଇ ଧାଡି ଯୋଡି ଦେଇଛନ୍ତି ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ।

ସରକାରଙ୍କ ବିଭିନ୍ନ ବିଭାଗରେ ଦୁର୍ନୀତି ନେଇ ପ୍ରଶ୍ନ ଉଠାଇଥିଲେ ଦାମୋଦର ରାଉତ । ନିଜେ ଦାୟିତ୍ୱ ତୁଲାଇଥିବା ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି କଥା ଉଠାଇ ନିଜକୁ ସ୍ୱଚ୍ଛ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବାକୁ ପଛାଇନଥିଲେ । ଆଉ ଏବେ ଜଗତସିଂହପୁରରୁ ଉଠୁଥିବା ବିରୋଧ ପାଇଁ ବିଜେଡିର ପରିଚାଳନାକୁ ନେଇ ଟିପ୍ପଣୀ କରିଛନ୍ତି ।

ଦାମଙ୍କ ବିରୋଧରେ ଫେରାଦିଙ୍କ ଲମ୍ବା ଧାଡି ଦେଖି ବୈଜୟନ୍ତଙ୍କ ସ୍ମୃତି ତାଜା ହୋଇଛି । କେନ୍ଦ୍ରାପଡା ସାଂସଦ ବୈଜୟନ୍ତଙ୍କୁ ବହିଷ୍କାର କରିବା ପୂର୍ବରୁ ତାଙ୍କ ବିରୋଧରେ ମଧ୍ୟ ଠିକ ଏହି ଭଳି ଜିଲ୍ଲାର ତୃଣମୂଳ ସ୍ତରରୁ ବିରୋଧ ବଢିବାରେ ଲାଗିଥିଲା । ଯେଉଁଥିପାଇଁ ଦାମଙ୍କ ସମର୍ଥନରେ ବାହାରି ଆସିଛନ୍ତି ବୈଜୟନ୍ତ । ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ନବୀନଙ୍କୁ କଠୋର ନିଷ୍ପତି ପାଇଁ ବାଧ୍ୟ କଲା । ଆଉ ଏବେ ଦାମଙ୍କ ବିରୋଧରେ ସମାନ ଢଙ୍ଗରେ ସୁପ୍ରିମୋ କଠୋର ପଦକ୍ଷେପ ନେବା ସମ୍ଭାବନା ବଢିଯାଇଛି ।