ଦାମଙ୍କ ଦମ୍ଭୋକ୍ତି! ରାଜ୍ୟରେ ୧୩-୧୪ଟି ଲୋକସଭା ଆସନ ଅକ୍ତିଆର କରିବ ବିଜେପି; କମିବ ବିଜେଡିର ଆସନ

କହିଲେ, ନିର୍ବାଚନ ପରେ ବିଜେପି-ବିଜେଡି ମଧ୍ୟରେ ମେଂଟ ହେବାରେ ଅସୁବିଧା ନାହିଁ

1,443

କନକ ବ୍ୟୁରୋ: ୨୦୧୯ର ଗଣିତ ବଡ଼ ଜଟିଳ । ଫୋନିର ପ୍ରକୋପ କମିଲା ବେଳକୁ ମେ’ ୨୩କୁ ନେଇ ଚିନ୍ତା ବଢ଼ୁଛି । ପ୍ରଥମ ପ୍ରଶ୍ନ ଉଠୁଛି ରାଜ୍ୟର ରାଜନୀତିରେ ହଲଚଲ କରିଥିବା ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ? ଆଉ ଯଦି ହେବେ ଏଥର ବିଜେଡିର ଆସନ ସଂଖ୍ୟା କେତେ ରହିବ? ବିଜେପିର ସ୍ଥିତି କଣ ରହିବ ? ଦ୍ୱିତୀୟ ପ୍ରଶ୍ନ ହେଲା କଂଗ୍ରେସ କେଉଁ ଭୂମିକାରେ ରହିବ । ତୃତୀୟ ପ୍ରଶ୍ନ ହେଉଛି ଦିଲ୍ଲୀ ସରକାରରେ ଆଂଚଳିକ ଦଳ ଗୁଡ଼ିକର ଭୂମିକା କଣ ରହିବ? ୨୦୧୯ ସମୀକରଣ କେଉଁ ବାଟରେ ଯିବ ଏବଂ କେଉଁ ଦିଗରେ ଯିବ ଏହାକୁ ନେଇ ଅଙ୍କକଷା ଜାରି ରହିଛି ।

ସେହିଭଳି ଓଡ଼ିଶାରେ ପଂଚମ ଥର ପାଇଁ ନବୀନ ପଟ୍ଟନାୟକ କ୍ଷମତାକୁ ଫେରିବେ କି ନାହିଁ? ନବୀନଙ୍କ ଲୋକପ୍ରିୟତା ଅତୁଟ ରହିଛି କି ନାହିଁ? ବିଜେପି ଓଡ଼ିଶାରେ କେଉଁ ସ୍ଥିତରେ ରହୁଛି । ଏହି ସବୁ ପ୍ରଶ୍ନର ଉତର ମେ ୨୩କୁ ଅପେକ୍ଷା କରିଛି । ବିଭିନ୍ନ ଗଣମାଧ୍ୟମରେ ନେତାଙ୍କ ଆତ୍ମବିଶ୍ୱାସ ଏବଂ ନେତାଙ୍କ ବୟାନ ଆସିବା ପରେ ଜନତାଙ୍କ ଭିତରେ କନଫ୍ୟୁଜନ୍ ବଢିବାରେ ଲାଗିଛି । ତେବେ ନିର୍ବାଚନର ଘନଘଟା ଭିତରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଭବିଷ୍ୟବାଣୀ ରାଜ୍ୟ ରାଜନୀତିକୁ ଆହୁରୀ ଉଷ୍ମ କରିଦେଇଛି ।

ଓଡିଶାରେ ବଡ ବିଜୟ ହାସଲ କରିବ ବିଜେପି ଏବଂ ବିଜେଡିର ଆସନ କମିବ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ । କନକ ନ୍ୟୁଜର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଏହି କଥା କହିଛନ୍ତି ଦାମୋଦର ରାଉତ । ଚଳିତ ନିର୍ବାଚନରେ ବିଜେପି ୧୩ରୁ ୧୪ ଲୋକସଭା ଆସନରେ ହାସଲ କରିବ ବୋଲି ପୂର୍ବାନୁମାନ କରିଛନ୍ତି ଦାମବାବୁ । ଏହା ସହ ନିର୍ବାଚନ ପରେ ବିଜେଡି- ବିଜେପି ମେଂଟ ହେବାରେ କୌଣସି ବାଧା ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ତାଙ୍କୁ ଅପମାନିତ କରିବା ପାଇଁ ତାଙ୍କ ପୁଅକୁ ବିଜେଡି ଟିକେଟ ଦେଲା ବୋଲି କହିଛନ୍ତି ଦାମୋଦର ରାଉତ ।