୨୦୧୯ ପାଣି ହେଲା ଗୋଳିଆ । ରାଜନୀତିର ଚକ୍ରବ୍ୟୁହ ପାଇଁ ଦାମ ତୟାର । ବିଜେଡି କହିଲା ସ୍ୱପ୍ନ ଦେଖିବାକୁ ମନା ନାହିଁ

୨୦୧୯ ଲଢ଼େଇରେ ଦଳର ଭୂମିକା କ’ଣ ହେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର

162

କନକ ବ୍ୟୁରୋ: ଦଳ ଗଢ଼ିଲେ ଦାମ । ବିଜୁଙ୍କ ନାଁରେ ଡକ୍ଟର ଦାମ ରାଉତ ନୂଆ ଦଳ ଗଠନ କରିଛନ୍ତି । ଏହି ଦଳର ନାଁ ରହିଛି ‘ବିଜୁ ସମତାକ୍ରାନ୍ତି ଦଳ’ । ହେଲେ ଦଳର ମଙ୍ଗ ଧରିବା ବଦଳରେ ପ୍ରଚାର କମିଟି ଅଧ୍ୟକ୍ଷରେ ନିଜକୁ ସୀମିତ ରଖିଛନ୍ତି ଡକ୍ଟର ରାଉତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ସହ ମିଶି ନୂଆ ରୁପରେ ସାମ୍ନାକୁ ଆସିବାକୁ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି । ଯଜେ୍ଞଶ୍ୱର ବାବୁ ଓ ବ୍ରଜ କିଶୋର ତ୍ରିପାଠୀଙ୍କ ଉପସ୍ଥିତରେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସେଇ ପୁରୁଣା କଥାକୁ ଦୋହରାଇଛନ୍ତି ଦାମ ରାଉତ ।କହିଛନ୍ତି- ବିଜୁ ଅନୁଗାମୀ ଏହି ନବ ଗଠିତ ଦଳରେ ସାମିଲ ହେବେ ।

ନବୀନଙ୍କ ବିରୋଧରେ ରଣହୁଙ୍କାର ଦେଉଥିବା ଡାକ୍ତର ଦାମ ରାଉତ ନିର୍ବାଚନ ରଣାଙ୍ଗନରେ ଦମ୍ ଦେଖାଇବାକୁ ଅଂଟା ଭିଡିଛନ୍ତି । ବିଜେଡିକୁ ଗାଦିଚ୍ୟୁତ କରିବା ଲକ୍ଷ୍ୟ ନେଇ ପ୍ରଥମ ସୋପାନ ଚଢ଼ିଛନ୍ତି ଦାମବାବୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ସହ ମିଶି ତାକୁ ନୂଆ ରୂପ ଦେଇଛନ୍ତି । ବିଜୁ ନାଁ ଯୋଡ଼ି ଦଳର ନାମକରଣ କରାଯାଇଛି – ବିଜୁ ସମତା କ୍ରାନ୍ତି ଦଳ । ହେଲେ ଏହି ନୂଆ ଦଳର ସଭାପତି ନହୋଇ ପ୍ରଚାର କମିଟି ଅଧ୍ୟକ୍ଷ ହୋଇଛନ୍ତି ଦାମ ରାଉତ ।

ତେବେ ବିଜେଡିରୁ ବହିଷ୍କାର ହେବା ପରେ ନବୀନ ସରକାରଙ୍କ ବିରୋଧରେ ବର୍ଷୁଥିଲେ ଦାମବାବୁ । ରାଜ୍ୟର ବିଭିନ୍ନ ସ୍ଥାନରେ ସଭାର ଆୟୋଜନ କରି ନିଜ ଆଭିମୁଖ୍ୟ ରଖୁଥିଲେ । ଏବେ ନୂଆ ଦଳକୁ ମଜବୁତ କରି ଶାସକ ଦଳକୁ ଚ୍ୟାଲେଂଜ ଦେବା ଦାୟିତ୍ୱ ପଡିଛି ତାଙ୍କ ହାତରେ । ତାଙ୍କ ନୂଆ ଦଳରେ ବହୁ ବିଜୁ ଅନୁଗତ ଯୋଗ ଦେବେ ବୋଲି କହି ଆସୁଥିଲେ ଦାମ ରାଉତ । ହେଲେ ଆଜି ଘୋଷଣା ବେଳେ କୌଣସି ବଡ଼ ନେତାଙ୍କୁ ଦେଖିବାକୁ ମିଳିନଥିଲା । ତେବେ ତାଙ୍କ ଦଳ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ସାମନାକୁ ଆଣିବ ବୋଲି କହିଛନ୍ତି ଦାମ ରାଉତ ।

୨୦୧୩ରେ ବିଜେପିରୁ ଇସ୍ତଫା ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଗଢିଥିଲେ ସମତା କ୍ରାନ୍ତି ଦଳ । ୨୦୧୪ ନିର୍ବାଚନରେ ଏହି ଦଳର ଏକମାତ୍ର ବିଧାୟକ ଭାବେ ବୀରମିତ୍ରପୁରରୁ ଜିତିଥିଲେ ଜର୍ଜ ତିର୍କୀ । ନିକଟରେ ଜର୍ଜ ତିର୍କୀ ସମତା କ୍ରାନ୍ତି ଦଳ ଛାଡି କଂଗ୍ରେସରେ ମିଶିଛନ୍ତି । ତେବେ ଦାମବାବୁ ନୂଆ ଦଳ ନଗଢ଼ି ଏହି ଦଳକୁ ନୂଆ ରୂପରେଖ ଦେଇଛନ୍ତି । ୨୦୧୯ ଲଢ଼େଇରେ ଦଳର ଭୂମିକା କ’ଣ ହେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ, ଦାମଙ୍କ ତତ୍ୱାବଧାନରେ ଗଠନ ହୋଇଥିବା ବିଜୁ ସମତା କ୍ରାନ୍ତି ଦଳ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି- ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳ ତିଷ୍ଠି ନାହାଁନ୍ତି । କିନ୍ତୁ ସ୍ୱପ୍ନ ଦେଖିବାକୁ କାହାରିକୁ ମନା ନାହିଁ ।